୨୦୨୪ ନିର୍ବାଚନ ବିଗୁଲ ବାଜିବା ପୂର୍ବରୁ ବନ୍ଦର ନଗରୀ ପାରାଦୀପରେ ରାଜନୀତି ସରଗରମ ହେବାରେ ଲାଗିଛି । କେଉଁ ଦଳରୁ କିଏ ହେବେ ପ୍ରାର୍ଥୀ ? ସ୍ପଷ୍ଟ ହୋଇନଥିବା ବେଳେ, ବଢ଼ି ବଢ଼ି ଚାଲିଛି ଆଶାୟୀଙ୍କ ସଂଖ୍ଯା । ବିଜେଡିରେ ଟିକେଟ ଦୌଡ଼ରେ ବିଧାୟକ ସମ୍ବିତ ରାଉତରାୟ ଆଗରେ ଥିବା ବେଳେ, ଆହୁରି ତିନି ଜଣଙ୍କ ନାଁ ଶୁଣାଯାଉଛି । ବିଜେପିରୁ ସମ୍ପଦ ସ୍ବାଇଁ ଟିକେଟ ଦାବିଦାର ଥିବା ବେଳେ, କିଏ ହେବେ କଂଗ୍ରେସ ପ୍ରାର୍ଥୀ ତାକୁ ନେଇ ଜାରି ରହିଛି ସସପେନ୍ସ । କାରଣ ଗତଥରର କଂଗ୍ରେସ ପ୍ରାର୍ଥୀ ବାପି ସର୍ଖେଲଙ୍କ ଆଭିମୁଖ୍ୟ ଏବେବି ଅସ୍ପଷ୍ଟ ରହିଛି ।
କୁଜଙ୍ଗ ବ୍ଳକର ୨୮ ପଞ୍ଚାୟତ ଏବଂ ପାରାଦୀପ ପୌର ପରିଷଦର ୧୯ ୱାର୍ଡକୁ ନେଇ ଗଠିତ ପାରାଦୀପ ବିଧାନସଭା ନିର୍ବାଚନ ମଣ୍ଡଳୀ । ଏଠାରେ ମୋଟ୍ ଭୋଟରଙ୍କ ସଂଖ୍ୟା ୧ ଲକ୍ଷ ୭୯ ହଜାର ୭୬୩ । ୨୦୧୪ରେ ପାରାଦୀପ ଆସନରୁ ବିଜେଡି ଟିକେଟରେ ବିଜୟୀ ହୋଇଥିଲେ ଡାକ୍ତର ଦାମୋଦର ରାଉତ । ଦାମବାବୁ ବିଜେଡି ଛାଡ଼ି ବିଜେପିରେ ମିଶିବା ପରେ, ୨୦୧୯ରେ ତାଙ୍କ ପୁଅ ସମ୍ବିତ ରାଉତରାୟଙ୍କୁ ପ୍ରାର୍ଥୀ କରିଥିଲା ବିଜେଡି । ୨୦୧୯ରେ ସମ୍ବିତ ୬୯ ହଜାର ୮୭୧ ଭୋଟ ପାଇ ବିଜୟୀ ହୋଇଥିଲେ । ୨୦୨୪ରେ ପୁଣି ଥରେ ବିଜେଡି ଟିକେଟରେ ଲଢ଼ିବାକୁ ଆଶାୟୀ ଅଛନ୍ତି ସମ୍ବିତ । ତେବେ ବିଜେଡିରେ ଲମ୍ବୁଛି ଆଶାୟୀଙ୍କ ସଂଖ୍ଯା । ପାରାଦୀପ ପୌରାଧ୍ୟକ୍ଷ ବସନ୍ତ କୁମାର ବିଶ୍ୱାଳ, ବିଜେଡି ରାଜ୍ୟ ସାଧାରଣ ସମ୍ପାଦକ ଇଞ୍ଜିନିୟର ପ୍ରମୋଦ କୁମାର ଜେନା ଏବଂ ଗ୍ରାମ୍ୟ ଉନ୍ନୟନ ବିଭାଗ ଉପଦେଷ୍ଟା ତଥା ଜିଲ୍ଲା ବିଜେଡି ମହିଳା ସଭାନେତ୍ରୀ ସବିତା ମହାପାତ୍ର ମଧ୍ୟ ବିଜେଡି ଟିକେଟ ପାଇଁ ଲବି ଚଳାଇଥିବା ଚର୍ଚ୍ଚା ହେଉଛି । ତେବେ ଶାସକ ଦଳରୁ କିଏ ହେବେ ପ୍ରାର୍ଥୀ, ତାହା ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେବେ ଏବଂ ତାକୁ ସମସ୍ତେ ଗ୍ରହଣ କରିବେ ବୋଲି କହିଛନ୍ତି ଆଶାୟୀ ।
ପାରାଦୀପ ବିଧାନସଭା ନିର୍ବାଚନ ମଣ୍ଡଳୀ
କୁଜଙ୍ଗର ୨୮ ପଞ୍ଚାୟତ ଓ ପାରାଦୀପ ପୌର ପରିଷଦର ୧୯ ୱାର୍ଡକୁ ନେଇ ଗଠିତ
ମୋଟ୍ ଭୋଟର ୧ ଲକ୍ଷ ୭୯ ହଜାର ୭୬୩
୨୦୧୪ରେ ବିଜେଡି ଟିକେଟରେ ବିଜୟୀ ହୋଇଥିଲେ ଡାକ୍ତର ଦାମୋଦର ରାଉତ
୨୦୧୯ରେ ତାଙ୍କ ପୁଅ ସମ୍ବିତ ରାଉତରାୟଙ୍କୁ ପ୍ରାର୍ଥୀ କରିଥିଲା ବିଜେଡି
୨୦୧୯ରେ ସମ୍ବିତ ୬୯ ହଜାର ୮୭୧ ଭୋଟ ପାଇ ବିଜୟୀ
୨୦୨୪ରେ ପୁଣି ବିଜେଡି ଟିକେଟରେ ଲଢ଼ିବାକୁ ସମ୍ବିତ ଆଶାୟୀ
୨୦୧୯ ନିର୍ବାଚନରେ ବିଜୟୀ ହୋଇଥିବା ବିଜେଡି ପ୍ରାର୍ଥୀ ସମ୍ବିତ ରାଉତରାୟ ୬୯ ହଜାର ୮୭୧ ଭୋଟ୍ ପାଇଥିଲେ । କଂଗ୍ରେସ ପ୍ରାର୍ଥୀ ବାପି ସର୍ଖେଲ ୪୮ ହଜାର ୮୭୯ ଭୋଟ ପାଇଥିବା ବେଳେ, ବିଜେପି ପ୍ରାର୍ଥୀ ସମ୍ପଦ ସ୍ବାଇଁ ୩୫ ହଜାର ୦୩୭ ଭୋଟ୍ ପାଇଥିଲେ । ୨୦୨୪ ନିର୍ବାଚନ ପାଖେଇ ଆସୁଥିବା ବେଳେ, ବାପି ସର୍ଖେଲ କଂଗ୍ରେସ କାର୍ଯ୍ୟକ୍ରମଠାରୁ ଦୂରେଇ ରହୁଥିବା ଦେଖିବାକୁ ମିଳୁଛି । ପାରାଦୀପରେ କିଏ ଧରିବ କଂଗ୍ରେସର ମଙ୍ଗ ତାହା ଅସ୍ପଷ୍ଟ ରହିଥିବା ବେଳେ, କଂଗ୍ରେସ ଜିଲ୍ଲା ସଭାପତି ନଟବର ବାରିକଙ୍କ ପ୍ରତିକ୍ରିୟା, ସଠିକ ସମୟରେ ପ୍ରାର୍ଥୀ ଘୋଷଣା କରିବ ଦଳ । ସେପଟେ ବିଜେପି ଯୁବ ନେତା ସମ୍ପଦ ସ୍ବାଇଁ, ନିର୍ବାଚନ ମଣ୍ଡଳୀରେ ସଂଗଠନକୁ ମଜଭୁତ କରୁଥିବା ଚର୍ଚ୍ଚା ହେଉଛି । ୨୦୧୯ରେ ୩୫ରୁ ଅଧିକ ଭୋଟ୍ ପାଇଥିବା ସମ୍ପଦ ସ୍ବାଇଁ, ୨୦୨୪ରେ ବିଜେଡିକୁ କଡା ଟକ୍କର ଦେବାକୁ ରଣନୀତି ଚଳାଇଛି ।…
ପାରାଦୀପ ବିଧାନସଭା ନିର୍ବାଚନ ୨୦୧୯
ବିଜେଡି ପ୍ରାର୍ଥୀ ସମ୍ବିତ ରାଉତରାୟଙ୍କୁ ୬୯, ୮୭୧ ଭୋଟ୍
କଂଗ୍ରେସ ପ୍ରାର୍ଥୀ ବାପି ସର୍ଖେଲଙ୍କୁ ୪୮, ୮୭୯ ଭୋଟ୍
ବିଜେପି ପ୍ରାର୍ଥୀ ସମ୍ପଦ ସ୍ବାଇଁଙ୍କୁ ୩୫, ୦୩୭ ଭୋଟ୍
ରାଜନୀତି ସମୀକ୍ଷକଙ୍କ କହିବା ହେଲା, ବନ୍ଦର ନଗରୀ ପାରାଦୀପର ଅନେକ ବିକାଶ ହୋଇଛି । ତେବେ ବର୍ତ୍ତମାନ ଦୃଢ଼ ସଂଗଠନ ଏବଂ ଯୁବ ନେତୃତ୍ୱ ଉପରେ ଗୁରୁତ୍ୱ ଦେବାର ସମୟ ଆସିଛି।…ଜଗତସିଂହପୁରରେ ଶାସକ ବିଜେଡିରୁ ଆଶାୟୀ ଅଧିକ ଥିବା ବେଳେ, ବିଜେପି ଏବଂ କଂଗ୍ରେସ ପ୍ରାର୍ଥୀଙ୍କୁ ନେଇ ସସପେନ୍ସ ଜାରି ରହିଛି । ତେବେ କେଉଁ ଦଳ କାହାକୁ ପ୍ରାର୍ଥୀ କରିବେ ଏବଂ କାହା ସପକ୍ଷରେ ଯିବ ଜନମତ, ତା ଉପରେ ରହିଛି ନଜର