ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ହାଜର ହେବେ ଆମ୍ ଆଦ୍ମୀ ପାର୍ଟିର ଜାତୀୟ ଆବାହକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। ପୂର୍ବାହ୍ନ ୧୧ଟାରେ ହାଜର ହେବାକୁ ତାଙ୍କୁ ସମନ୍ ଜାରି କରାଯାଇଛି। ଦିଲ୍ଲୀ ଅବକାରୀ ଦୁର୍ନୀତିରେ ଇଡି ଅଧିକାରୀମାନେ ତାଙ୍କୁ ପଚରା ଉଚରା କରିବେ।
ଏହି ମାମଲାରେ ଅନ୍ୟତମ ଆପ୍ ନେତା ତଥା ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଗତ ଫେବ୍ରୁଆରୀ ମାସରେ ଗିରଫ ହୋଇ ଜେଲରେ ଅଛନ୍ତି।
ଗତ ସୋମବାର, ସୁପ୍ରିମକୋର୍ଟ, ମନୀଷ ସିସୋଦିଆଙ୍କ ଜାମିନ ଖାରଜ କରିଦେବାର କିଛି ସମୟ ପରେ କେଜ୍ରିୱାଲଙ୍କୁ ସମନ ଜାରି ହୋଇଥିଲା। ସେହିପରି ଏହି ମାମଲାରେ ଗତ ଅକ୍ଟୋବର ୪ ତାରିଖରେ ଗିରଫ ହୋଇଛନ୍ତି ଆପ୍ ନେତା ତଥା ରାଜ୍ୟସଭା ସାଂସଦ ସଞ୍ଜୟ ସିଂହ । ଦିଲ୍ଲୀ ଅବକାରୀ ଦୁର୍ନୀତିରେ ପ୍ରାୟ ୩୩୮ କୋଟି ଟଙ୍କାର ଘୋଟାଲା ହୋଇଥିବା ଅଭିଯୋଗ ରହିଛି ।
ପୂର୍ବରୁ ମାମଲାରେ କେଜ୍ରିୱାଲଙ୍କୁ ସିବିଆଇ ୯ ଘଣ୍ଟା ଧରି ପଚରାଉଚରା କରିଥିଲା। ଅବକାରୀ ଦୁର୍ନୀତି ମାମଲାରେ ଆପ୍ର ଅଡୁଆ ବଢ଼ିବାରେ ଲାଗିଛି। ସେପଟେ ଆପ୍ ନେତା ଭରଦ୍ବାଜ କହିଛନ୍ତି, କେଜ୍ରିୱାଲଙ୍କୁ
ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଗିରଫ କରିବାର ସମ୍ଭାବନା ରହୁଛି । ଏଭଳି ସ୍ଥିତିରେ କିଏ ଚଳାଇବ ଦିଲ୍ଲୀ ତାକୁ ନେଇ ଏବେ ବଡ଼ ସମ୍ଭାବ୍ୟ ପ୍ରଶ୍ନବାଚୀ ଛିଡ଼ା ହୋଇଛି। ଆପ୍ ନେତାଏ କିନ୍ତୁ କହୁଛନ୍ତି, ପରିସ୍ଥିତି ଦେଖି ଦଳର ଶୀର୍ଷ ନେତୃତ୍ବ ନିଷ୍ପତ୍ତି ନେବେ ।
ଯଦି ଜଣକ ପରେ ଜଣେ ଆପ୍ ନେତା ଜେଲ୍ ଯାଆନ୍ତି, ତେବେ ଜେଲରୁ ହିଁ ଦିଲ୍ଲୀ ସରକାର ଚାଲିବ ବୋଲି କହିଛନ୍ତି ଆପ୍ ନେତା । ବିଜେପି ପାଇଁ ଯିଏ ବାଧକ ସାଜୁଛି, ତାକୁ ଜେଲ୍ ପଠାଯାଉଛି । ଆପ୍ର ବିଲୟ କେନ୍ଦ୍ର ସରକାର ଚାହୁଁଥିବା ଅଭିଯୋଗ କରିଛନ୍ତି ଭରଦ୍ବାଜ।