କଟକ ଜିଲ୍ଲା ମାହାଙ୍ଗା ଡବଲ ମର୍ଡର ମାମଲାରେ ବିଧାୟକ ପ୍ରତାପ ଜେନାଙ୍କୁ ହାଇକୋର୍ଟରୁ ପ୍ରାୟ ଦେଢ଼ମାସ ମହଲତ । ଏହାପୂର୍ବରୁ ସାଲେପୁରର ଜେଏମ୍ଏଫ୍ସି କୋର୍ଟଙ୍କ ପକ୍ଷରୁ ଗତ ଅକ୍ଟୋବର ୩୧ ତାରିଖରେ କୋର୍ଟରେ ହାଜାର ହେବାକୁ ପ୍ରତାପ ଜେନାଙ୍କୁ ନୋଟିସ୍ ଜାରି କରାଯାଇଥିଲା। କିନ୍ତୁ ମାହାଙ୍ଗା ବିଧାୟକ ଶ୍ରୀଜେନା ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ କୋର୍ଟରେ ହାଜର ହୋଇନଥିଲେ। ସେ ନିଜ ଓକିଲଙ୍କ ଜରିଆରେ ପକ୍ଷ ରଖିଥିଲେ। ଏଥିସହ ସେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ଆଜି ତାଙ୍କ ମାମଲାକୁ ବିଚାର ଲାଗି ହାଇକୋର୍ଟ ଗ୍ରହଣ କରିଛନ୍ତି।
ତାଙ୍କ ବିରୋଧରେ କୌଣସି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ ଉପରେ ହାଇକୋର୍ଟ ରୋକ ଲଗାଇଛନ୍ତି। ଏଥିସହ ହାଇକୋର୍ଟ ସାଲେପୁରର ଜେଏମ୍ଏଫ୍ସି କୋର୍ଟକରୁ ଏହି ମାମଲା ସଂକ୍ରାନ୍ତୀୟ ରେକର୍ଡ ତଲବ କରିଛନ୍ତି। ଏହି ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ଡିସେମ୍ବର ୧୯ ତାରିଖରେ ହେବ ବୋଲି ତାରିଖ ଧାର୍ଯ୍ୟ ହୋଇଛି।
ବିଜେପି ନେତା ତଥା ପୂର୍ବତନ ମାହାଙ୍ଗା ବ୍ଳକ ଅଧ୍ୟକ୍ଷ କୁଳମଣି ବରାଳ ଏବଂ ତାଙ୍କର ଘନିଷ୍ଠ ସହଯୋଗୀ ଦିବ୍ୟସିଂହ ବରାଳଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିଲା। ପରେ ଏହି ମାମଲାର ମୁଖ୍ୟ ଅଭିଯୁକ୍ତ ଥିବା ପ୍ରଫୁଲ ବିଶ୍ୱାଳଙ୍କ ଟାଙ୍ଗି-କଟକ ରାସ୍ତା ସନ୍ଦେହଜନକ ଭାବେ ଟ୍ରକ ଦୁର୍ଘଟଣାରେ ମୃତ୍ୟୁ ହୋଇଥିଲା। ଉଭୟ ମାମଲାରେ ପ୍ରତାପ ଜେନାଙ୍କ ହାତ ଥିବା ନେଇ ବିଜେପି ଅଭିଯୋଗ କରିଥିଲା। ଏହା ପରେ ପୀଡ଼ିତଙ୍କ ପରିବାର ପକ୍ଷରୁ ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ପ୍ରତାପ ଜେନାଙ୍କୁ ଅଭିଯୁକ୍ତ ଭାବେ ଦର୍ଶାଯାଇ ମାମଲା ରୁଜୁ ହୋଇଥିଲା।