ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସଂଗୀତଜ୍ଞ ସ୍ୱରୂପ ନାୟକଙ୍କ ଅନ୍ତିମ ସତ୍କାର ହେବ। ଏନେଇ ମୁଖ୍ୟମନ୍ତ୍ରୀ ସ୍ୱରାଷ୍ଟ୍ର ବିଭାଗକୁ ନିର୍ଦ୍ଦେଶ ଦେଇଥିବା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।ସ୍ୱରୂପ ନାୟକଙ୍କ ମରଶରୀର କଟକ ସ୍ଥିତ ବାସଭବନରେ ରଖାଯାଇଛି। ସେଠାରେ ବହୁ ବିଶିଷ୍ଟ କଳାକାରଙ୍କ ସମେତ ବିଭିନ୍ନ ବର୍ଗର ବ୍ୟକ୍ତି ପହଞ୍ଚି ତାଙ୍କର ଶେଷ ଦର୍ଶନ କରିଛନ୍ତି। ଦୀର୍ଘଦିନ ଧରି ଫୁସଫୁସ୍ କ୍ୟାନସରରେ ପୀଡ଼ିତ ଥିଲେ ଓଡ଼ିଆ ସଂଗୀତ ଜଗତର ଏହି ଅନ୍ୟତମ ବେତାଜ ବାଦଶାହା।
ପ୍ରାୟ ୪୦ରୁ ଅଧିକ ସିନେମା ପାଇଁ ସଂଗୀତ ନିର୍ଦ୍ଦେଶନା ଦେବା ସହ ଗୀତ ରଚନା, ଫିଲ୍ମରେ ଅଭିନୟ କରି ଓଲିଉଡକୁ ସମୃଦ୍ଧ କରିଥିଲେ ସ୍ବରୂପ ନାୟକ। ଜୀବନ ବ୍ୟାପି ସାଧନା ପାଇଁ ତରଙ୍ଗ ପକ୍ଷରୁ ସ୍ୱରୂପ ଦା’ଙ୍କୁ ଲାଇଫ ଟାଇମ୍ ଆଚିଭମେଣ୍ଟ ଆୱାର୍ଡ ମଧ୍ୟ ଦିଆଯାଇଛି।
ଗତକାଲି ତାଙ୍କର ପରଲୋକ ଘଟିଥିବାବେଳେ ବିଭିନ୍ନ ବର୍ଗ ତାଙ୍କ ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ପ୍ରତି ଗଭୀର ସମବେଦନା ଜଣାଇଛନ୍ତି।