ଆଜିଠାରୁ ଆରମ୍ଭ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା। ୨୦୨୪ ନିର୍ବାଚନ ପୂର୍ବରୁ ଏହା ଶେଷ ସଂଶୋଧନ ପ୍ରକ୍ରିୟା। ଶୁକ୍ରବାର ଏନେଇ ସାମ୍ୱାଦିକ ସମ୍ମିଳନୀ ଜରିଆରେ ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ।
୨୦୨୪ ଜାନୁଆରୀ ସୁଦ୍ଧା ଯେଉଁମାନଙ୍କର ବୟସ ୧୮ ବର୍ଷ ହୋଇଥିବ ସେମାନଙ୍କର ନାମ ଭୋଟର ତାଲିକାଭୁକ୍ତ ହୋଇପାରିବ। ଉଭୟ ଅନଲାଇନ୍ ଓ ଅଫଲାଇନରେ ଆବେଦନ ହୋଇପାରିବ। ଚଳିତ ବର୍ଷ ଡିସେମ୍ବର ୯ ଯାଏ ଆବେଦନ କରିପାରିବେ ଭୋଟର। ଅଧିକ ସହାୟତା ପାଇଁ ୧୯୫୦କୁ କଲ କରିପାରିବେ।
ଫର୍ମ ୬ରେ ନୂଆ ଆବେଦନ, ଫର୍ମ ୭ରେ ନାମ ଯୋଗ ଓ ବିଯୋଗ କରିହେବ। ସେହିପରି ଫର୍ମ ୮ରେ ତ୍ରୁଟି ସଂଶୋଧନ ହୋଇପାରିବ। ସବୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, ବ୍ଲକ, ତହସିଲ ଓ ବୁଥସ୍ତରୀୟ ଅଧିକାରୀଙ୍କୁ ଏନେଇ ବିଜ୍ଞପ୍ତି ଜାରି କରାଯାଇଛି ।