କଥାରେ ଅଛି, ବିପଦ ସମୟର ବନ୍ଧୁ ହିଁ ପ୍ରକୃତ ବନ୍ଧୁ । ଅର୍ଥାତ ବିପତିକାଳୀନ ସମୟରେ ଯିଏ ମଣିଷ ପାଖରେ ଛିଡା ହୁଏ, ସେ ହିଁ ବାସ୍ତବରେ ଅସଲ ବନ୍ଧୁ । ଏହାକୁ ଅକ୍ଷରେ ଅକ୍ଷରେ ସତ ପ୍ରମାଣିତ କରିଛନ୍ତି ଦୁଇ ଭାରତୀୟ କବିତା ଓ ମୀରା । ସେମାନଙ୍କ ଧୈର୍ଯ୍ୟ ଓ ସାହସିକତା ପାଇଁ ଏବେ ଛୁଟିଛି ପ୍ରଶଂସାର ସୁଅ । ଭାରତ ପାଇଁ ସେମାନେ ଗର୍ବ ଓ ଗୌରବର ବିଷୟ ପାଲଟିଛନ୍ତି । ଇସ୍ରାଏଲ ଏବଂ ହମାସ ମଧ୍ୟରେ ଜାରି ରହିଛି ଘମାଘୋଟ ଲଢେଇ । ଏହି ଭୟଙ୍କର ଯୁଦ୍ଧ ମଧ୍ୟରେ ଉଭୟ ଦେଶର ହଜାର ହଜାର ସାଧାରଣ ନାଗରିକ ମଧ୍ୟ ପ୍ରାଣ ହରାଉଛନ୍ତି । କିନ୍ତୁ ଏହି ଯୁଦ୍ଧ ସମୟରେ ବି ଅନେକ ସାହସୀ ତଥା ନିର୍ଭୀକ ବ୍ୟକ୍ତିଙ୍କ ସାହସିକତାକୁ ବିଶ୍ୱ ଦରବାରରେ ପ୍ରଶଂସା କରାଯାଇଛି । ଏହାରି ଭିତରେ ହମାସ ଆକ୍ରମଣରୁ ବୃଦ୍ଧ ଦମ୍ପତିଙ୍କୁ ଉଦ୍ଧାର କରିଥିବା ଦୁଇ ଭାରତୀୟ ମହିଳା ନର୍ସଙ୍କୁ ପ୍ରଶଂସା କରିଛନ୍ତି ଇସ୍ରାଏଲବାସୀ ତଥା ସରକାର । ଇସ୍ରାଏଲରେ ବୃଦ୍ଧ ଦମ୍ପତିଙ୍କ ଦାୟିତ୍ୱ ନେଉଥିବା ଦୁଇ ଭାରତୀୟ ମହିଳା ନର୍ସ ଦୁହିଁଙ୍କର ଜୀବନ ରକ୍ଷା କରିବାରେ ସଫଳ ହୋଇଛନ୍ତି । ଏହି ଦୁଇ ଭାରତୀୟ ମହିଳା ନର୍ସ ହେଉଛନ୍ତି କେରଳର ସବିତା ଓ ମୀରା ମୋହନନ୍ । ସେମାନେ ଇସ୍ରାଏଲରେ ପ୍ରାୟ ତିନିବର୍ଷ ହେଲା ଧାଈ ବା କେୟାରଗିଭର୍ ଭାବେ କାର୍ଯ୍ୟ କରୁଛନ୍ତି ।
ନୂଆଦିଲ୍ଲୀ ସ୍ଥିତ ଇସ୍ରାଏଲ ଦୂତାବାସ ସେମାନଙ୍କୁ ‘ସୁପର ୱିମେନ’ ଭାବେ ଅଭିହିତ କରିଛି । ଯେତେବେଳେ ହମାସ ଇସ୍ରାଏଲ ଉପରେ ଅଚାନକ ଆକ୍ରମଣ କଲା, ସେତେବେଳେ ସେମାନେ କ’ଣ କରିଥିଲେ ସେନେଇ ସବିତାଙ୍କର ଏକ ଭିଡିଓ ‘ଇସ୍ରାଏଲ ଇନ ଇଣ୍ଡିଆ’ ତାର ଟ୍ୱିଟର ହ୍ୟାଣ୍ଡଲରେ ମଧ୍ୟ ଶେୟାର କରିଛି । ଏହି ଭିଡିଓରେ ସବିତା ଇସ୍ରାଏଲରେ ହମାସ ଆକ୍ରମଣର ଛାତିଥରା ଘଟଣାକୁ ବର୍ଣ୍ଣନା କରିଛନ୍ତି । ସେଦିନର ଘଟଣାକୁ ବର୍ଣ୍ଣନା କରିବାକୁ ଯାଇ ସବିତା କହିଛନ୍ତି ଯେ, ପ୍ରାୟ ୬.୩୦ରେ ସେମାନେ ସାଇରନ ଶବ୍ଦ ଶୁଣି ସୁରକ୍ଷା କକ୍ଷକୁ ଧାଇଁଥିଲେ । ଏହାପରେ ସେମାନେ ଦମ୍ପତିଙ୍କ ଝିଅକୁ ଘଟଣା ସମ୍ପର୍କରେ ଫୋନ କରି ଜଣାଇଥିଲେ । ଯେତେବେଳେ ସେମାନେ ଜାଣିବାକୁ ପାଇଲେ ଯେ ଆତଙ୍କବାଦୀମାନେ ଘର ଭିତରକୁ ପଶିବାକୁ ଚେଷ୍ଟା କରୁଛନ୍ତି, ସେତେବେଳେ ସେମାନେ ସୁରକ୍ଷା କକ୍ଷର କବାଟ ହ୍ୟାଣ୍ଡେଲକୁ ଜୋରରେ ଧରି ରଖିଥିଲେ । ଆକ୍ରମଣକାରୀମାନେ ଗୁଳି ବର୍ଷା କରିବା ସହ କବାଟ ଖୋଲିବାକୁ କହିଥିଲେ ମଧ୍ୟ ସେ ଦୁହେଁ ପ୍ରାୟ ସାଢେ ୪ଘଂଟା ଧରି ସେମାନଙ୍କୁ ପ୍ରତିହତ କରିଥିଲେ । ସୁରକ୍ଷାକର୍ମୀ ସେମାନଙ୍କ ନିକଟରେ ପହଂଚିବା ପରେ ସେମାନେ ବାହାରକୁ ଆସିଥିଲେ । ଆଉ ଦେଖିଥିଲେ ଯେ, ଆତଙ୍କୀମାନେ ତାଙ୍କ ଘରର ସବୁ ଜିନିଷ ନଷ୍ଟ କରି ଦେଇଥିଲେ । ଏଭଳି କଠିନ ସମୟରେ ସେମାନଙ୍କ ଧୈର୍ଯ୍ୟ ଓ ସାହସିକତା ପାଇଁ ଇସ୍ରାଏଲ ଦୂତାବାସ ସେମାନଙ୍କୁ ‘ସୁପର ୱିମେନ’ର ଆଖ୍ୟା ଦେଇଛି ।