ସିକ୍କିମ୍ ବନ୍ୟାରେ ସେନାରେ କାମ କରୁଥିବା ହାବିଲଦାର୍ ସରୋଜ କୁମାର ଦାସ ନିଖୋଜ ହୋଇ ଯାଇଛନ୍ତି । ଢେଙ୍କାନାଳ କାମାକ୍ଷାନଗର ଥାନା ଦିଘି ପଞ୍ଚାୟତ କେନ୍ଦୁଢିପ ଗ୍ରାମରେ ସରୋଜଙ୍କ ଘର । ସରୋଜ ନିଖୋଜ ଖବର ଜଣାପଡ଼ିବା ପରେ ଘରେ ଶୋକାକୂଳ ପରିବେଷ ସୃଷ୍ଟି ହୋଇଛି । କାନ୍ଦ ବୋବାଳିରେ ଫାଟି ପଡୁଛି ଘର । ୨୦୧୨ରେ ସେନା ବାହିନୀରେ ସରୋଜ ଯୋଗ ଦେଇଥିଲେ । ଏହି ବର୍ଷ ଫେବ୍ରୁଆରୀ ମାସରେ ତାଙ୍କର ବିବାହ ହୋଇଥିଲା । ଦୁଇମାସ ପୂର୍ବରୁ ସେ ଘରକୁ ଆସିଥିଲେ । ମଙ୍ଗଳବାର ରାତି ୧୦ଟାରେ ପରିବାର ଲୋକଙ୍କ ସହ ଫୋନରେ କଥା ହୋଇଥିଲେ । ସିକ୍କିମରେ ପ୍ରବଳ ବର୍ଷା ହେଉଥିବାରୁ ଗାଡ଼ି ଭିତରେ ରହିଥିବା କଥା ପରିବାର ଲୋକଙ୍କୁ କହିଥିଲେ ସରୋଜ । ଗତକାଲି ଦିନ ୧୧ଟାରେ ପରିବାର ଲୋକ ଟିଭିରେ ଯବାନଙ୍କ ନିଖୋଜ ଖବର ଦେଖି ତାଙ୍କ ପାଖକୁ ଫୋନ କରିଥିଲେ । ମାତ୍ର ସରୋଜଙ୍କ ମୋବାଇଲ୍ ଫୋନ ସୁଇଚ୍ ଅଫ୍ ଥିବାରୁ ୟୁନିଟ ସହ କଥା ହେବା ପରେ ନିଖୋଜ ଖବର ପାଇଥିବା କହିଛନ୍ତି ତାଙ୍କ ବଡ଼ ଭାଇ ମନୋଜ ସାହୁ ।