କୋଲକାତା : ବିଧାନସଭା ନିର୍ବାଚନକୁ ନେଇ ଏବେ ସରଗରମ ପଶ୍ଚିମବଙ୍ଗର ରାଜନୈତିକ ମାହୋଲ। ଦୁଇ ପ୍ରମୁଖ ରାଜନୈତିକ ଦଳ ବିଜେପି ଓ ଟିଏମସି ମଧ୍ୟରେ ଚାଲିଛି ଜୋରଦାର ଟକ୍କର। ଏହି ମଧ୍ୟରେ ନିର୍ବାଚନ ରଣଭୂମିରେ ରଣ ହୁଙ୍କାର ଦେଉଛନ୍ତି ନେତା ଓ ମନ୍ତ୍ରୀ। ଏପରିକି ଦୁଇ ଦଳ ମଧ୍ୟରେ ଚାଲିଛି ଆରୋପ ପ୍ରତ୍ୟାରୋପ। ତେବେ ଏଠାରେ କହି ରଖୁଛୁ ଯେ, ନିର୍ବାଚନ ପ୍ରଚାର ପାଇଁ ବିଜେପି ଏବଂ ଟିଏମସି ଦ୍ଵାରା ବ୍ୟବହାର କରାଯାଉଥିବା ପ୍ରଚାର ଗୀତ ଓ ନାରା ଉଭୟ ପଡୋଶୀ ଦେଶ ବାଙ୍ଗଲାଦେଶ ଠାରୁ ପ୍ରେରିତ। ନିର୍ବାଚନ ପ୍ରଚାର ପାଇଁ ଟିଏମସି ବ୍ୟବହାର କରୁଥିବା “ଖେଲା ହୋବେ” ହେଉଛି ଏକ ବାଙ୍ଗଲାଦେଶୀ ଗୀତ। ଏହି ଗୀତକୁ ଟିଏମସି ଏକ ମାମୁଲି ପରିବର୍ତ୍ତନ କରି ବ୍ୟବହାର କରୁଛି। ବାଙ୍ଗଲାଦେଶର ଅବାମୀ ଲିଗର ସାଂସଦ ଶମୀମ ଉସ୍ମାନ ୪ ବର୍ଷ ପୂର୍ବେ ଏହି ଗୀତର ବ୍ୟବହାର କରି ତାଙ୍କର ନିର୍ବାଚନ ପ୍ରଚାର କରିଥିଲେ। କେବଳ ସେତିକି ନୁହେଁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ତାଙ୍କର ଭାଷଣ ଶେଷରେ ଦେଉଥିବା ନାରା “ଜୟ ବାଙ୍ଗଲା” ମଧ୍ୟ ବାଙ୍ଗଲାଦେଶରୁ ଆସିଛି। ବାଙ୍ଗଲାଦେଶରେ ସ୍ଵାଧିନତା ସମୟରେ ମୁକ୍ତି ବାହିନୀର ପ୍ରମୁଖ ଶେଖ ମୁଜୀବ-ଉର-ରହମାନଙ୍କର ଏହା ଜୟ ଘୋଷ ଥିଲା। ସେହିପରି ବିଜେପି ମଧ୍ୟ ତାର ପ୍ରଚାରରେ ପଶ୍ଚିମବଙ୍ଗକୁ “ସୋନାର ବାଙ୍ଗଲା” କରିବାକୁ ପ୍ରତିଶୃତି ଦେଉଛି। ଏହା ଗୁରୁଦେବ ରବୀନ୍ଦ୍ରନାଥ ଟାଗୋରଙ୍କ ଦ୍ଵାରା ପ୍ରେରିତ ଏକ କବିତା। ଯାହାକି ବାଙ୍ଗଲାଦେଶର ରାଷ୍ଟ୍ରଗୀତ। ଏହି ଗୀତଟି ହେଉଛି “ଆମାର ସୋନାର ବାଙ୍ଗଲା, ଆମି ତୋମାକେ ଭାଲୋବାଶି…”।