ଭୁବନେଶ୍ବର: ପ୍ରବଳ ହଟ୍ଟଗୋଳ ଯୋଗୁ ଅପରାହ୍ନ ୪ଟା ଯାଏ ବିଧାନସଭା ମୁଲତବୀ । ଶାସକ-ବିରୋଧୀ ମୁହାଁମୁହିଁ ହୋଇ ଆଜି ବିଧାନସଭାରେ ପ୍ରବଳ ହଟ୍ଟଗୋଳ ହୋଇଥିଲା। ମୁଖ୍ୟମନ୍ତ୍ରୀ ଓ ପୂର୍ତ୍ତମନ୍ତ୍ରୀଙ୍କ ବିରୋଧରେ ସ୍ବାଧିକାର ଭଙ୍ଗ ପ୍ରସ୍ତାବ ଅଣାଯିବା ଓ କଂଗ୍ରେସ ବିଧାୟକ ଦଳ ନେତାଙ୍କୁ କହିବାର ସୁଯୋଗ ନଦେବାକୁ ନେଇ ବିଧାନସଭାରେ ପ୍ରବଳ ହଟ୍ଟଗୋଳ ସୃଷ୍ଟି ହୋଇଥିଲା। ଶୂନ୍ୟକାଳରେ ପୂର୍ତ୍ତ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକଙ୍କ ବିରୋଧରେ କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା ସ୍ବାଧିକାର ଭଙ୍ଗ ନୋଟିସ ଆଣିଛନ୍ତି। ଅପରପକ୍ଷେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିରୋଧରେ ସ୍ବାଧିକାର ଭଙ୍ଗ ନୋଟିସ ଆଣିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝୀ। ଗତ ୨୫ ତାରିଖରେ ମୁଖ୍ୟମନ୍ତ୍ରୀ ଦେଇଥିବା ବିବୃତିକୁ ନେଇ ସେ ସ୍ବାଧିକାର ଭଙ୍ଗ ନୋଟିସ ଆଣିଛନ୍ତି।