ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଶୁଭାଶିଷ ତାଳପତ୍ର ସପ୍ତାହକ ପରେ ଅବସର ଗ୍ରହଣ କରିବାକୁ ଯାଉଥିବାବେଳେ ଏଯାବତ୍ ନୂଆ ମୁଖ୍ୟ ବିଚାରପତି ନିଯୁକ୍ତି ଘେନି କୌଣସି ବିଜ୍ଞପ୍ତି ପ୍ରକାଶ ପାଇନାହିଁ । ଏ ପରିପ୍ରେକ୍ଷୀରେ ପୂର୍ବ ପରମ୍ପରା ଅନୁଯାୟୀ ଓଡିଶା ହାଇକୋର୍ଟର ସବୁଠାରୁ ବରିଷ୍ଠ ବିଚାରପତିଙ୍କୁ କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଭାବେ ନିଯୁକ୍ତି ଦିଆଯାଇପାରେ ।
ଏଠାରେ ଉଲ୍ଲେଖନୀୟ ଯେ ଜଷ୍ଟିସ ତାଳପତ୍ର ଓଡିଶା ହାଇକୋର୍ଟରେ ଆଉ ମାତ୍ର ତିନିଟି କାର୍ଯ୍ୟଦିବସରେ ମାମଲା ଶୁଣାଣି କରିବେ । ତାଙ୍କ ଅବସର ପରେ ନୂଆ ମୁଖ୍ୟ ବିଚାରପତି ପୁଣି କେଉଁ ବିଚାରପତିଙ୍କୁ କି ପ୍ରକାର ମାମଲା ବିଚାରପାଇଁ ଦିଆଯିବ ଓ କିଏ କାହା ସହିତ ବସି ଖଣ୍ଡପୀଠରେ ମାମଲା ଶୁଣାଣି କରିବେ ସେ ସଂକ୍ରାନ୍ତରେ ନୂଆ ବିଜ୍ଞପ୍ତି ଜାରି କରିପାରନ୍ତି ।
ଜଷ୍ଟିସ ତାଳପତ୍ରଙ୍କ ଅବସର ଗ୍ରହଣ ପରେ ହାଇକୋର୍ଟରେ ଖାଲିଥିବା ବିଚାରପତି ସଂଖ୍ୟା ୧୨କୁ ବଢିପାରେ । ଏବେ ଅନ୍ୟତମ ବିଚାରପତି ଡକ୍ଟର ବିଦ୍ୟୁତ୍ ରଞ୍ଜନ ଷଡଙ୍ଗୀ ଓଡିଶା ହାଇକୋର୍ଟର ସବୁଠାରୁ ବରିଷ୍ଠ ବିଚାରପତି ଅଛନ୍ତି । ଅଭିଜ୍ଞତା, ଦକ୍ଷତା ଓ ବରିଷ୍ଠତା ଦୃଷ୍ଟିରୁ ଡକ୍ଟର ଷଡଙ୍ଗୀଙ୍କୁ କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଭାବେ ଦାୟିତ୍ୱ ଦିଆଯାଇପାରେ ବୋଲି ଆଇନ୍ଜୀବୀ ମହଲରେ ଚର୍ଚ୍ଚା ହେଉଛି ।
ଜଷ୍ଟିସ ଏସ୍.ମୁରଲୀଧରନଙ୍କ ଅବସର ପରେ ଜଷ୍ଟିସ ତାଳପତ୍ରଙ୍କୁ ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ନିଯୁକ୍ତି ମିଳିଥିଲା ଏବଂ ତାଙ୍କ କାର୍ଯ୍ୟକାଳ ଅତି ବେଶିରେ ଦୁଇମାସ ପର୍ଯ୍ୟନ୍ତ ରହିଛି ।
ଓଡିଶା ହାଇକୋର୍ଟରେ ଏବେ ପ୍ରାୟ ଦେଢ ଲକ୍ଷ ପାଖାପାଖି ମାମଲା ବିଚାର ପ୍ରତୀକ୍ଷାରେ ରହିଛି । କିଛିଦିନ ତଳେ ଦୁଇଜଣ ନୂଆ ବିଚାରପତି ଦାୟିତ୍ୱ ଗ୍ରହଣ କରିଥିଲେ ମଧ୍ୟ ଜଷ୍ଟିସ ମୁରଲୀଧରନ ଓ ଜଷ୍ଟିସ ବିଶ୍ୱନାଥ ରଥଙ୍କ ଅବସର ଗ୍ରହଣ ପରେ ଖାଲିଥିବା ବିଚାରପତି ଆସନ ବିଶେଷ ହ୍ରାସ ଘଟିନାହିଁ ।
ଗୋଟିଏ ପରେ ତ୍ୱରିତ ମାମଲା ଫଏସଲା ଉପରେ ଗୁରୁତ୍ୱ ଦିଆଯାଉଥିବାବେଳେ ଅନ୍ୟପଟେ ଅଭିଯୋଗ ସମାଧାନ ପ୍ରକ୍ରିୟାରେ ମନ୍ଥରତା ସହିତ ବିଭିନ୍ନ କାରଣରୁ ଅପରାଧ ବଢୁଥିବା ଯୋଗୁଁ ମାମଲା ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ମାମଲା ସଂଖ୍ୟା ହ୍ରାସ ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ପୃଥକ ପୃଥକ ମାମଲା ନୀତି ପ୍ରଣୟନ କରିଥିଲେ ମଧ୍ୟ ଏହାର ଅନୁସରଣ କରୁନାହାନ୍ତି । ଫଳରେ ଏବେ ଦେଶର ବିଭିନ୍ନ ହାଇକୋର୍ଟରେ ୫ବର୍ଷର ପୁରୁଣା ମାମଲା ସଂଖ୍ୟା ମୋଟ ବାକିଆ ମାମଲାର ପ୍ରାୟ ୬୦ ପ୍ରତିଶତ ହେବ ବୋଲି କୁହାଯାଉଛି ।