ରାଉରକେଲା ସହକାରୀ ଜିଲ୍ଲାପାଳ ସୁସ୍ମିତା ମିଞ୍ଜଙ୍କ ମୃତ୍ୟୁ ରହସ୍ୟ । ଆଜି ଆସିବ ବ୍ୟବଚ୍ଛେଦ ରିପୋର୍ଟ । ଜଣାପଡ଼ିବ ମୃତ୍ୟୁର ପ୍ରକୃତ କାରଣ । ସୁସ୍ମିତା ରହୁଥିବା ହୋଟେଲରୁ ଦୁଇଟି ସିସିଟିଭି ଜବତ କରିଛି ପୋଲିସ । ସିିସିଟିଭି ଆଧାରରେ ତଦନ୍ତ ଜାରି ରଖିଛି ପୋଲିସ । ଗୁରୁଣ୍ଡିଆ ବିଡିଓ ଓ ସିଡିପିଓଙ୍କୁ ଡାକି ପଚରାଉଚୁରା କରିପାରେ ପୋଲିସ । ସୁସ୍ମିତାଙ୍କୁ କେଉଁମାନେ ମାନସିକ ଚାପ ଦେଉଥିଲେ ତା’ ଉପରୁ ଉଠିବ ପରଦା ।
ଏହାରି ମଧ୍ୟରେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ପୋଲିସ ସୁସ୍ମିତା ମଞ୍ଜଙ୍କ ମୃତଦେହ ନିକଟରୁ ୫ହଜାର ଟଙ୍କା ଓ ଗୋଟିଏ ମୁଦି ଜବତ କରିଛି । ସୁନ୍ଦରଗଡ଼ ଜିଲ୍ଲାପାଳ, ରାଉରକେଲା ଅତିରିକ୍ତ ଜିଲ୍ଲାପାଳଙ୍କ ଉପରେ ଉଠିଥିବା ସନ୍ଦେହକୁ ନେଇ ତଦନ୍ତ ଜାରି ରହିଛି ।
ସେପଟେ ସୁସ୍ମିତାଙ୍କୁ କେଉଁମାନେ ମାନସିକ ଚାପ ଦେଉଥିଲେ ? ମୃତ୍ୟୁ ଘଟଣା ପାଇଁ ସୁନ୍ଦରଗଡ଼ ଜିଲ୍ଲାପାଳ, ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ଦାୟୀ ବୋଲି ସୁସ୍ମିତାଙ୍କ ଭାଇ ଆଣିଥିବା ଅଭିଯୋଗର ସତ୍ୟତା ଅଛି କି ନାହିଁ, ତଦନ୍ତକାରୀ ଟିମ୍ ତା’ର ଖୋଳତାଡ଼ କରୁଛନ୍ତି । ମିଳିଥିବା ସୂଚନା ମୁତାବକ ସୁସ୍ମିତା ବିବାହର କିଛି ମାସ ପରେ ସ୍ବାମୀଙ୍କଠାରୁ ଅଲଗା ରହୁଥିଲେ । ରାଜଗାଙ୍ଗପୁର ରାମବାହାଲସ୍ଥ ଘରୁ ପ୍ରତିଦିନ ରାଉରକେଲା ଏଡିଏମ୍ ଅଫିସକୁ ଆସୁଥିଲେ।
ସଂଧ୍ୟାରେ କାମ ସାରି ଘରକୁ ଫେରୁଥିଲେ । ହେଲେ ୧୬ ତାରିଖରେ ଏଡିଏମ୍ ଅଫିସ୍ରେ ବୈଠକ ଆଳ ଦେଖାଇ ଘରକୁ ନ ଫେରିବାରୁ ପରିବାର ଲୋକଙ୍କ ସନ୍ଦେହ ହୋଇଥିଲା । ପରଦିନ ଅର୍ଥାତ୍ ୧୭ ତାରିଖ ସକାଳେ ତାଙ୍କ ଭାଇ ସନ୍ଦୀପ ଭଉଣୀଙ୍କୁ ଖୋଜିବାକୁ ପୁଣି ଅତିରିକ୍ତ ଜିଲ୍ଲାପାଳଙ୍କ ଅଫିସ୍କୁ ଆସିଥିଲେ ।