ଅହମ୍ମଦାବାଦ : ମଙ୍ଗଳବାର ଭାରତ-ଇଂଲଣ୍ଡ ମଧ୍ୟରେ ତୃତୀୟ ଟି-୨୦ ମ୍ୟାଚ୍ ଖେଳାଯିବ । ଅହମଦାବାଦସ୍ଥିତ ନରେନ୍ଦ୍ର ମୋଦୀ ଷ୍ଟାଡ଼ିୟମରେ ଏହି ମ୍ୟାଚ ଖେଳାଯିବ । ପୁଣି ଥରେ ଅଧିନାୟକ ବିରାଟ କୋହଲିଙ୍କ ନେତୃତ୍ୱରେ ଭାରତୀୟ ଟିମ୍ ପଡ଼ିଆକୁ ଓହ୍ଲାଇବ ।ଭାରତ ୨ ଜଣ ସ୍ପିନରଙ୍କୁ ଖେଳାଉଥିବା ବେଳେ ଇଂଲଣ୍ଡ ଅତିରିକ୍ତ ସ୍ପିନର ଭାବେ ମୋଇନ୍ ଅଲୀଙ୍କୁ ଖେଳାଇପାରେ। ଫଳରେ ମାର୍କ ଉଡ୍ ଓ କ୍ରିସ୍ ଜୋର୍ଡାନଙ୍କ ମଧ୍ୟରୁ ଜଣେ ଖେଳିବେ। ଗତ ୨ଟି ଯାକ ମ୍ୟାଚରେ ବିଫଳ ହୋଇଥିବା ଓପନର କେ.ଏଲ୍. ରାହୁଲଙ୍କ ସ୍ଥାନରେ ରୋହିତ ଶର୍ମା ଖେଳିପାରନ୍ତି।ପ୍ରଥମ ଟ୍ବେଣ୍ଟି୨୦କୁ ଇଂଲଣ୍ଡ ସହଜରେ ଜିତିଥିବା ବେଳେ ୨ୟ ମ୍ୟାଚକୁ ଭାରତ କବଜା କରିନେଇଛି । ତେଣୁ ୫ଟି ମ୍ୟାଚ ବିଶିଷ୍ଟ ଶୃଙ୍ଖଳାର ମଙ୍ଗଳବାର ମ୍ୟାଚ ବେଶ ଗୁରୁତ୍ବପୂର୍ଣ୍ଣ । ଉଭୟ ଦଳ ମ୍ୟାଚ ଜିତି ସିରିଜ୍ ରେ ଆଗୁଆ ହେବା ଲକ୍ଷ୍ୟରେ ରହିବେ। ତେବେ କୋଭିଡ ସଂକ୍ରମଣ ବଢୁଥିବା ଦୃଷ୍ଟିରେ ରଖି ଆଜିର ମ୍ୟାଚ ବିନା ଦର୍ଶକରେ ଖେଳାଯିବ । ଯେଉଁମାନେ ଆଗରୁ ଟିକେଟ କିଣିଛନ୍ତି ସେମାନଙ୍କ ଟଙ୍କା ଫେରାଯିବ ବୋଲି ଗୁଜରାଟ କ୍ରିକେଟ ଆସୋସିଏସନ ଘୋଷଣା କରିଛି ।