ଭୁବନେଶ୍ୱର : ଓଡ଼ିଶା ବିଧାନସଭାର ବାଚସ୍ପତି ପଦବୀ ଲାଗି ନାମାଙ୍କନପତ୍ର ଦାଖଲ କରାଯିବାର ଶେଷ ସମୟ ପାଖେଇ ଆସୁଥିବାବେଳେ ଏଯାବତ୍ କିନ୍ତୁ କିଏ ପ୍ରାର୍ଥୀ ହେବେ ସେ ସଂକ୍ରାନ୍ତରେ ସ୍ପଷ୍ଟ ସୂଚନା ମିଳୁନାହିଁ । ତେବେ ବିଧାନସଭାର ସଦସ୍ୟ ସଂଖ୍ୟା ଦୃଷ୍ଟିରୁ ବିଜେପି ଓ କଂଗ୍ରେସ ଦଳ ଢେର୍ ପଛରେ ରହିଥିବା ଓ ଏହି ଦୁଇଦଳ ବାଚସ୍ପତି ନିର୍ବାଚନକୁ ବର୍ଜନ ଲାଗି ଘୋଷଣା କରିଥିବା ପରିପ୍ରେକ୍ଷୀରେ ନିରଙ୍କୁଶ ସଂଖ୍ୟାଗରିଷ୍ଠ ବିଜେଡି ଯାହାକୁ ଚାହିଁବ ତାଙ୍କୁ ବାଚସ୍ପତି ଆସନରେ ବସାଇବା ଏକପ୍ରକାର ନିଶ୍ଚିତ ।
ଆସନ୍ତା ୧୮ ତାରିଖ ହେଉଛି ବାଚସ୍ପତି ନିର୍ବାଚନ ପାଇଁ ମନୋନୟନ ପତ୍ର ଦାଖଲର ଶେଷ ଦିନ । ଯେଉଁ ବିଧାୟକମାନେ ଧାର୍ଯ୍ୟ ସମୟସୀମା ମଧ୍ୟରେ ମନୋନୟନପତ୍ର ଦାଖଲ କରିବେ ତାହାର ତନଖି କରାଯିବା ପରେ ଯଦି ଆବଶ୍ୟକ ପଡେ ତା’ ହେଲେ ଆସନ୍ତା ୨୧ ତାରିଖରେ ବାଚସ୍ପତି ପଦବୀ ପାଇଁ ବିଧାନସଭା ସଚିବାଳୟ ପରିସରରେ ଭୋଟ ଗ୍ରହଣ କରାଯାଇପାରେ । ଘୋଷିତ କାର୍ଯ୍ୟକ୍ରମ ମୁତାବକ ଆସନ୍ତା ୨୨ ତାରିଖ ଠାରୁ ରାଜ୍ୟ ବିଧାନସଭାର ବର୍ଷାକାଳୀନ ଅଧିବେଶନ ନୂଆ ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ଆରମ୍ଭ ହେବାରେ ସମ୍ଭାବନା ରହିଛି ।
ଏଠାରେ ଉଲ୍ଲେଖନୀୟ ଯେ ବିଧାନସଭା ବାଚସ୍ପତି ପଦବୀରୁ ସୂର୍ଯ୍ୟନାରାୟଣ ପାତ୍ର ଇସ୍ତଫା ଦେବାପରେ ଅନ୍ୟତମ କ୍ୟାବିନେଟ୍ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ବାଚସ୍ପତି ହୋଇଥିଲେ । ଶ୍ରୀ ଆରୁଖ ମଧ୍ୟ ବାଚସ୍ପତି ପଦବୀରୁ ଇସ୍ତଫା ଦେଇ ଏବେ ପୁଣି କ୍ୟାବିନେଟ୍ ମନ୍ତ୍ରୀ ରହିଥିବାବେଳେ ଉପ ବାଚସ୍ପତି ରଜନୀକାନ୍ତ ସିଂହ କାର୍ଯ୍ୟକାରୀ ବାଚସ୍ପତି ଭାବେ ଦାୟିତ୍ୱ ନିର୍ବାହ କରୁଛନ୍ତି ।
ଲୋକସଭା ସହ ରାଜ୍ୟ ବିଧାନସଭା ନିର୍ବାଚନ ହେବାକୁ ଆଉ ୬/୭ମାସ ସମୟ ବାକି ରହିଛି । ତେବେ ସାମ୍ବିଧାନିକ ବିଧିବ୍ୟବସ୍ଥା ଅନୁଯାୟୀ ବିଧାନସଭା ଭାଙ୍ଗିଗଲେ ମଧ୍ୟ ପରବର୍ତ୍ତୀ ବିଧାନସଭା ଗଠନ ପର୍ଯ୍ୟନ୍ତ ବାଚସ୍ପତି ଦାୟିତ୍ୱ ନିର୍ବାହ କରିବେ ।
ବିଜେଡିର କେଉଁ ବିଧାୟକ କିମ୍ବା ବିଧାୟିକା ବାଚସ୍ପତି ପଦପାଇଁ ନିର୍ବାଚନ ଲଢିବେ ତାହା ଦଳର ନିଷ୍ପତ୍ତି ଉପରେ ନିର୍ଭର କରେ । ଏଥିଘେନି ଦଳର ବହୁ ବରିଷ୍ଠ ବିଧାୟକ ଓ ମନ୍ତ୍ରୀଙ୍କ ନାମ ଚର୍ଚ୍ଚାରେ ରହିଛି । ଏମିତିକି ବିଜେଡି ଏଥର ମହିଳା କାର୍ଡ ଖେଳି ଜଣେ ମହିଳାଙ୍କୁ ବାଚସ୍ପତି କରାଇପାରେ ବୋଲି ବିଭିନ୍ନ ମହଲରେ ପୂର୍ବାନୁମାନ କରାଯାଉଛି । ଏଠାରେ ଉଲ୍ଲେଖନୀୟ ଯେ ଏଯାବତ୍ ଓଡ଼ିଶା ବିଧାନସଭାରେ କୌଣସି ମହିଳା ବାଚସ୍ପତି ଆସନ ଅଳଙ୍କୃତ କରିନାହାନ୍ତି । ଯଦି କୌଣସି ମହିଳାଙ୍କୁ ବାଚସ୍ପତି ହେବାଲାଗି ବିଜେଡି ସୁଯୋଗ ଦିଏ ତେବେ ତାହା ସକାରାତ୍ମକ ସଂକେତ ଦେଇପାରେ ବୋଲି ରାଜନୈତିକ ମହଲ ବିଶ୍ୱାସ କରୁଛନ୍ତି ।