ଏନ୍ଏନ୍ଏସ ଓଡିଆ, କାଶ୍ମୀର: ବୁଡଗାମ ଜିଲ୍ଲାର ଖାନସାହାବ ଅଞ୍ଚଳରେ ପୋଲିସ ଓ ସେନାରେ ୬୨ ରଷ୍ଟ୍ରୀୟ ରାଇଫଲ୍ସ ୟୁନିଟର ମିଳିତ ଅପରେସନରେ ୩ଜଣ ଆତଙ୍କବାଦୀ ସହେଯାଗୀ ଧରିଛି କାଶ୍ମୀର ପୋଲିସ । ସେମାନେ କ୍ରେମସୋରା ନିବାସୀ କାଇସର ଅହମ୍ମଦ ଦାର ଏବଂ ୱାଗର ଅଞ୍ଚଳର ତାହିର ଅହମ୍ମଦ ଦାର ଓ ଅବଦୁଲ ରସିଦ ଗାନି ବୋଲି ପରିଚୟ ମିଳିଛି । ଲସ୍କର-ଏ-ତୋଏବା ଆତଙ୍କୀ ସଂଗଠନ ସହ ୩ ଜଣଙ୍କର ଲିଙ୍କ୍ ଥିଲା । ସେମାନଙ୍କ ନିକଟରୁ ଗୋଟିଏ ଚୀନ ନିର୍ମିତ ହ୍ୟାଣ୍ଡ ଗ୍ରେନେଡ, ଦୁଇଟି ମାଗାଜିନ ଏବଂ ୫୭ଟି ଜୀବନ୍ତ ଗୁଳି ଜବତ କରାଯାଇଛି ।ଏନେଇ ଖାନସାହାବ ପୋଲିସ ଷ୍ଟେସନରେ ଏକ ମାମଲା ରୁଜୁ ହୋଇଛି । ପୋଲିସ ସମସ୍ତ ଆପତ୍ତିଜନକ ସମାଗ୍ରୀକୁ ଜବତ କରି ଅଧିକ ଛାନଭିନ୍ ଜାରି ରଖିଛି । ଦୁଇ ଦିନ ତଳେ ଦୁଇ ଜଣ ଆତଙ୍କୀ ପୁଞ୍ଚ ନିକଟରେ ଭାରତରେ ଅନୁପ୍ରବେଶ ଉଦ୍ୟମ କରୁଥିବା ବେଳେ ସେନା ଗୁଳିରେ ନିହତ ହୋଇଥିଲେ । ସେମାନେ କେଉଁ ଆତଙ୍କୀ ସଂଗଠନର ତାହା ଜଣାପଡି ନଥିଲା । ଏଲଓସିରେ ବାରମ୍ବାର ଅନୁପ୍ରବେଶ ଉଦ୍ୟମ କରାଯାଉଥିବାରୁ ସୀମା ସୁରକ୍ଷାକୁ ଆହୁରି କଡାକଡି କରାଯାଇଛି ।ଏହି ଘଟଣାର ଦିନକ ପୂର୍ବରୁ ଉତ୍ତର କାଶ୍ମୀର ଅନ୍ତର୍ଗତ କୁପୱାର ଜିଲ୍ଲାର ଟଙ୍କଧର ସେକ୍ଟରେ ଆତଙ୍କୀମାନେ ଭାରତର ସୀମାକୁ ଅତିକ୍ରମ କରି ଅନୁପ୍ରବେଶ କରିଥିଲେ । ଏହାଦେଖି ଯବାନ ଗୁଳିମାଡ କରିବା ପରେ ଜଣେ ଆତଙ୍କୀର ମୃତ୍ୟୁ ହୋଇଥିଲା । ଗତ ୪ ତାରିଖରେ କୁଲଗାମ ଜିଲ୍ଲାର ହାଲନ ଜଙ୍ଗଲରେ ଆତଙ୍କୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିୟମରେ ୩ ଜଣ ଯବାନ ଶହୀଦ ହୋଇଯାଇଥିଲେ ।