ଏନ୍ଏନ୍ଏସ ଓଡିଆ, ପୁରୀ: ମହାପ୍ରଭୁଙ୍କ ବନକଲାଗି ନୀତିକୁ ନେଇ ବିଳମ୍ବ ହେଉଥିବା ବେଳେ, ଆସନ୍ତା କାଲି ଅର୍ଥାତ୍ ବୁଧବାର ଦିନ ହେବ ମହାପ୍ରଭୁଙ୍କ ବନକଲାଗି ନୀତି । ଅନେକ ଦିନ ଧରି କାଳିଆର ଶ୍ରୀମୁଖ ଶିଙ୍ଗାର ହୋଇନଥିବା ବେଳେ, ଆସନ୍ତାକାଲି ସବୁ କିଛିର ଅନ୍ତ ହେବ । ଦ୍ୱିତୀୟ ଭୋଗମଣ୍ଟପ ଶେଷ ହେବା ପରେ ହେବ ବନକଲାଗି ନୀତି । ଏସମ୍ପର୍କରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ମିଳିଛି । ସୂଚନାଅନୁସାରେ, ନୀଳାଦ୍ରୀ ବିଜେ ପରଠାରୁ ମହାପ୍ରଭୁଙ୍କ ବନକ ଲାଗି ନୀତି ହୋଇନଥିବାରୁ ବେଶ୍ ବ୍ୟଥିତ ଳ୍ରଦ୍ଧାଳୁ । ମହାପ୍ରଭୁଙ୍କ ବନକଲାଗି ବୁଧବାର କିମ୍ବା ଗୁରୁବାର କେବେ ହେବ ତାକୁ ନେଇ ଦ୍ୱନ୍ଦ ଲାଗି ରହିଥିଲା । ତେବେ ପରେ ବୁଧବାର ହେବ ବୋଲି ନିଷ୍ପତ୍ତି ହୋଇଥିଲା ।
ପୂର୍ବସୂଚନା ଅନୁସାରେ, ପ୍ରଶାସନ ପକ୍ଷରୁ ବୁଧବାର ବନକଲାଗି ନୀତି କରିବାକୁ ନିଦେ୍ର୍ଦଶ ଦିଆଯାଇଥିବା ବେଳେ ଗୁରୁବାର ବନକଲାଗି କରାଯିବ ବୋଲି ଦତ୍ତମହାପାତ୍ର ନିଯୋଗର ସମ୍ପାଦକ ମଦନମୋହନ ଦତ୍ତ ଜିଦ୍ ଧରି ବସିଥିଲେ । ସତ୍ତ୍ୱଲିପିରେ ଗୁରୁବାର ବନକ ଲାଗି ବା ଶ୍ରୀମୁଖ ଶିଙ୍ଗାର କରାଯିବ ବିଧି ରହିଛି ବୋଲି ସେମାନେ କହିଥିଲେ ।ଶ୍ରୀମନ୍ଦିର ପ୍ରଶାସନ ଓ ଦତ୍ତମହାପାତ୍ର ସେବାୟତ ନିଯୋଗ ମଧ୍ୟରେ ଏଭଳି ବିବାଦ ଯୋଗୁଁ ନୀଳାଦ୍ରି ବିଜେ ପରଠାରୁ ଠାକୁରମାନଙ୍କ ଶ୍ରୀମୁଖ ଶିଙ୍ଗାର କରାଯାଇନାହିଁ । ଫଳରେ ଶ୍ରୀମନ୍ଦିର ଆସୁଥିବା ଅଗଣିତ ଭକ୍ତ ଠାକୁରଙ୍କ ମଳିନ ମୁଖକୁ ଦର୍ଶନ କରି ଫେରିବା ସହ ଏହାକୁ ନେଇ ଭକ୍ତ ମହଲରେ କ୍ଷୋଭ ପ୍ରକାଶ ପାଇଥିଲା ।