ଏନ୍ଏନ୍ଏସ ଓଡିଆ, ବାଲେଶ୍ୱର: ସାଳନ୍ଦୀ ନଦୀରେ ବୁଡି କାଉଡିଆ ନିଖୋଜ ଘଟଣା । ଦୀର୍ଘ ୨୨ଘଣ୍ଟା ଖୋଜାଖୋଜି ପରେ ନଦୀରୁ ମିଳିଲା ଦୁଇ କାଉଡିଆଙ୍କ ମୃତଦେହ । ଆଜି ସକାଳେ ଦୁହିଁଙ୍କର ମୃତଦେହ ଉଦ୍ଧାର କରାଯାଇଛି । ସେମାନେ ହେଲେ ରାଜେନ୍ଦ୍ର ସାହୁ ଏବଂ ସୁବ୍ରତ ମହାକୁଡ । ଗତକାଲି ମହାଦେବଙ୍କ ପାଖରେ ଜଳଲାଗି ପାଇଁ ନଦୀରୁ ପାଣି ଉଠାଇ ଥିବାବେଳେ ଉଭୟ ଭାସି ଯାଇ ନିଖୋଜ ହୋଇ ଯାଇଥିଲେ । ଏହି ଘଟଣାରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି । ସୂଚନା ଅନୁସାରେ ଗତକାଲି ଶ୍ରାବଣ ମାସର ସୋମବାର ଥିଲା । ବାଲେଶ୍ୱର ଜିଲ୍ଲା ବରଦା ଗ୍ରାମରେ ସାଳନ୍ଦୀ ନଦୀରୁ ପାଣି ନେଇ ସାନଜୟୀ ଗ୍ରାମର ୧୮ ଜଣ କାଉଡ଼ିଆ ଅଣିଜ ସିନ୍ଧୁକେଶ୍ବର ମହାଦେବ ମନ୍ଦିରକୁ ଜଳାଭିଷେକ କରିବା ପାଇଁ ଯାଉଥିଲେ । ମାତ୍ର ଏହି ସମୟରେ ଗ୍ରାମର ରାଜେନ୍ଦ୍ର ସାହୁ ଏବଂ ସୁବ୍ରତ ମହାକୁଡ଼ଙ୍କ ଗୋଡ଼ ଖସି ଯିବାରୁ ସେମାନେ ନଦୀରେ ଭାସି ଯାଇଥିଲେ । ସେମାନଙ୍କୁ ଉଦ୍ଧାର କରିବା ପାଇଁ ସ୍ଥାନୀୟ ଅଞ୍ଚଳର ଜଣେ ଯୁବକ ଚେଷ୍ଟା କରି ବିଫଳ ହୋଇଥିଲେ । ପରେ ଅଗ୍ନିଶମ ବାହିନୀ ଏବଂ ଓଡ୍ରାଫ ଟିମ୍ ପହଞ୍ଚି ନିଖୋଜ ଦୁଇ କାଉଡ଼ିଆଙ୍କୁ ଖୋଜାଖୋଜି କରିବା ଆରମ୍ଭ କରିଥିଲେ । ସୋମବାର ଦିନ ତମାମ ଖୋଜାଖୋଜି ପରେ ନିଖୋଜ ଦୁଇ କାଉଡ଼ିଆଙ୍କ ପତ୍ତା ମିଳି ନଥିଲା । ଶେଷରେ ଆଜି ସକାଳେ ଓଡ୍ରାଫ ଟିମ୍ ନିଖୋଜ ଥିବା ଦୁଇ କାଉଡ଼ିଆଙ୍କ ମୃତଦେହ ନଦୀରୁ ଉଦ୍ଧାର କରିଛି । ଏହି ଘଟଣାରେ ସମଗ୍ର ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି କରିଛି । ଶ୍ରାବଣ ମାସରେ କାଉଡ଼ିଆମାନେ ଜଳଭାର ନେବା ପାଇଁ ଯେଉଁସବୁ ନଦୀ ପାଖକୁ ଯାଉଛନ୍ତି ସେଠାରେ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କରାଯିବା ପାଇଁ ଦାବି କରାଯାଉଛି । ଏହାସହ କାଉଡ଼ିଆମାନେ ସତର୍କତାର ସହ ଜଳଭାର ନେବା ଦିଗରେ ସଚେତନ ହେବାର ଆବଶ୍ୟକତା ରହିଛି ବୋଲି ମତ ପ୍ରକାଶ ପାଇଛି ।ଏଠାରେ ଉଲ୍ଲେଖଯୋଗ୍ୟ ଯେ, କିଛି ଦିନ ତଳେ ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଅଞ୍ଚଳରେ ଅନୁରୂପ ଘଟଣା ଘଟିଥିଲା । ଶିବଙ୍କ ପାଖରେ ଜଳାଭିଷେକ ପାଇଁ ପାଣି ଉଠାଉ ଥିବାବେଳେ ରେଙ୍ଗାଲି କେନାଲରେ ବୁଡ଼ି ଯାଇ ଜଣେ କାଉଡିଆ ନିଖୋଜ ହୋଇଯାଇଥିଲେ । ବହୁ ଖୋଜାଖୋଜି ପରେ ପରଦିନ ତାଙ୍କର ମୃତଦେହ ମିଳିଥିଲା ।