ଏନ୍ଏନ୍ଏସ ଓଡିଆ, ନୂଆଦିଲ୍ଲୀ: ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ଭେର ଏକ ୫୫ ଜଣିଆ ଟିମ୍ ଗତକାଲି ଅର୍ଥାତ୍ ରବିବାର ସକାଳେ ବାରଣସୀର ଜ୍ଞାନବାପୀ ମସଜିତ ଉପରେ ବୈଜ୍ଞାନିକ ସର୍ଭେ ପୁନଶ୍ଚ ଆରମ୍ବ କରିଛନ୍ତି । ସପ୍ତଦ ଶତାବ୍ଦୀରେ ନିର୍ମିତ ମସଜିଦଟି ଏକ ମନ୍ଦିର ଉପରେ ନିର୍ମିତ ହୋଇଥିଲା କି ନାହିଁ ଜାଣିବା ପାଇଁ ଏହି ସର୍ଭେ କରାଯାଇଛି । ଏଏସ୍ଆଇ ଟିମ୍ ଆସିବା ପୂର୍ବରୁ ଉକ୍ତ ଅଞ୍ଚଳରେ ବ୍ୟାପକ ପୁଲିସ ମୁତାୟନ କରାଯାଇଥିଲା । ଓକିଲମାନେ କହିଛନ୍ତି, ଜ୍ଞାନବାପୀ ପରିସରରେ କୋର୍ଟ-ନିଦେ୍ର୍ଦଶିତ ସର୍ଭେର ପ୍ରରମ୍ଭିକ ପର୍ଯ୍ୟାୟ ଶେଷ ହୋଇଛି ଏବଂ ରାଡାର ପରି ବିଭିନ୍ନ ମେସିନ ଦ୍ୱାରା ଦ୍ୱିତୀୟ ପର୍ଯ୍ୟାୟ ସର୍ଭେ ଚାଲିଛି । ମୁସଲମାନ ଭକ୍ତମାନେ ପ୍ରାର୍ଥନା ପାଇଁ ଆସିଥିବା ବେଳେ ଦିନ ସାଢେ ୧୨ଟାରୁ ୨ଘଣ୍ଟା ସର୍ଭେ କାର୍ଯ୍ୟ ବନ୍ଦ ରହିଥିଲା ।ଜ୍ଞାନବାପୀ ମାମଲାରେ ହିନ୍ଦୁପକ୍ଷର ଓକିଲ ବିଷ୍ଣୁ ଶଙ୍କର ଜୈନ ଓ ସୁଭାଷ ନନ୍ଦନ ଚତୁର୍ବେଦୀ ସର୍ଭେ ସମୟରେ ଉପସ୍ଥିତ ଅଛନ୍ତି । ଜୈନ କହିଛନ୍ତି- ଧୈର୍ୟ୍ୟ ଧର। ଏହା ହେଉଛି ସର୍ଭେର ଚତୁର୍ଥ ଦିନ। ଏଏସ୍ଆଇ ସର୍ବାଧିକ ଯତ୍ନର ସହ ସର୍ଭେ କାର୍ୟ୍ୟ ପରିଚାଳନା କରୁଛନ୍ତି। ଗତକାଲି ଡିଫରେନ୍ସିଆଲ ଗ୍ଲୋବାଲ ପୋଜିସନିଂ ସିଷ୍ଟମ୍ (ଡିଜିପିଏସ୍)ର ବ୍ୟବହାର କରାଯାଇଥିଲା। ଆଗକୁ ଗ୍ରାଉଣ୍ଡ ପେନିଟ୍ରେଟିଂ ରାଡାର ମେସିନ ବ୍ୟବହାର କରାଯିବ। ଆମେ ସର୍ଭେ କାର୍ୟ୍ୟରେ ସନ୍ତୁଷ୍ଟ, ମୁସଲମାନ ପକ୍ଷଙ୍କର କିଛି ଅଭିଯୋଗ ନାହିଁ ଏବଂ ସେମାନେ ସହଯୋଗ କରୁଛନ୍ତି ବୋଲି ଜୈନ କହିଛନ୍ତି।
ଆହ୍ଲାବାଦ ହାଇକୋର୍ଟଙ୍କ ନିର୍ଦ୍ଦେଶରେ ୱଜୁଖାନାକୁ ଛାଡ଼ି ମସଜିଦ ପରିସରରେ ଶୁକ୍ରବାର ସର୍ଭେକାର୍ୟ୍ୟ ପୁନଶ୍ଚ ଆରମ୍ଭ ହୋଇଥିଲା। ଏକ ନମ୍ବର ଆବେଦନକାରୀ ରାକ୍ଷୀ ସିଂହଙ୍କ ଓକିଲ ଅନୁପମ ଦ୍ବିବେଦୀ କହିଛନ୍ତି, ଗତ ୨୦୨୨ ମେ ମାସରେ ଆଡ୍ଭୋକେଟ୍ କମିସନରଙ୍କ ଦ୍ବାରା କରାଯାଇଥିବା ସର୍ଭେଠାରୁ ଏଏସ୍ଆଇ ସର୍ଭେ ଭିନ୍ନ। ପୂର୍ବ ସର୍ଭେରୁ ଯାହା ମିଳିଥିଲା ତାହା ରିପୋର୍ଟରେ ଲେଖା ହୋଇଛି। କିଛି ଜିନିଷ ଛୁଇଁବାକୁ କାହାକୁ ଅନୁମତି ନାହିଁ। ଏଏସ୍ଆଇ ଟିମ୍ ବୈଜ୍ଞାନିକ ପଦ୍ଧତିରେ ସର୍ଭେ କରୁଛନ୍ତି। ମସଜିଦର କିଛି କ୍ଷତି ନ କରି ବିନା ଖୋଳାଖୋଳିରେ ସେମାନେ ସର୍ଭେ କରୁଛନ୍ତି ଓ ପ୍ରମାଣ ସଂଗ୍ରହ କରୁଛନ୍ତି। ଏହି ବୈଜ୍ଞାନିକ ସର୍ଭେରୁ ଏହା ପ୍ରକୃତରେ ମନ୍ଦିର କି ମସଜିଦ ସବୁ ସ୍ପଷ୍ଟ ହୋଇଯିବ ବୋଲି ଶନିବାର ହିନ୍ଦୁପକ୍ଷର ଅନ୍ୟତମ ଓକିଲ ସୁଧୀର ତ୍ରିପାଠୀ କହିଥିଲେ।