ଏନ୍ଏନ୍ଏସ ଓଡିଆ, ଭୁବନେଶ୍ୱର: ଜ୍ଞାନ ହେଉଛି ଶକ୍ତି । ଶତାବ୍ଦୀ ଶତାବ୍ଦୀ ଧରି ଜ୍ଞାନର ବିଶାଳ ଉତ୍ସ ଭାବେ କାର୍ଯ୍ୟ କରୁଥିବା ବେଦ ଓ ଉପନିଷଦରେ ଭାରତର ସମୃଦ୍ଧି ଜ୍ଞାନ କ୍ଷମତା ସ୍ପଷ୍ଟ ଭାବରେ ଦୃଶ୍ୟମାନ ହୋଇଥାଏ । ନାଳନ୍ଦା ଏବଂ ତକ୍ଷଶିଳା ପରି ଆମର ପ୍ରଚୀନ ଭାରତୀୟ ବିଶ୍ୱବିଦ୍ୟାଳୟ ସହିତ ଭାରତ ଅତୀତରେ ଏକ ଅନ୍ତର୍ଜାତୀୟ । ଜ୍ଞାନର ପେଣ୍ଠସ୍ଥଳୀ ହୋଇଛି ।ଦ୍ୱିତୀୟ ଶିଳ୍ପ ବିପ୍ଳବ ସମୟରେ ବ୍ରିଟେନ ବିଶ୍ୱର ନେତୃତ୍ୱ ନେଇଥିବା ବେଳେ ତୃତୀୟ ଶିଳ୍ପ ବିପ୍ଳବରେ ଯୁକ୍ତରାଷ୍ଟ୍ର ଆମେରିକା ଆଗୁଆ ରହିଥିଲା। ଆଜି ଭାରତ ବ୍ରିଟେନକୁ ପଛରେ ପକାଇ ବିଶ୍ୱର ପଞ୍ଚମ ବୃହତ୍ତମ ଅର୍ଥନୀତିରେ ପରିଣତ ହୋଇଥିବା ବେଳେ ନୂତନ ଓ ଉଭା ହେଉଥିବା ଜ୍ଞାନକୌଶଳର ଦ୍ରୁତ ଅଭିବୃଦ୍ଧି ମାଧ୍ୟମରେ ବିଶ୍ୱକୁ ପୁଣି ଥରେ ଜ୍ଞାନର କେନ୍ଦ୍ର ବିନ୍ଦୁ ପାଲଟି ଚତୁର୍ଥ ଶିଳ୍ପ ବିପ୍ଳବରେ ନେତୃତ୍ୱ ନେବାର ସମୟ ଆସିଯାଇଛି । ଏହି ଆଶାତୀତ ପରିବର୍ତ୍ତନ ମଧ୍ୟରେ, ୨୦୧୪ରେ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତର ଶିକ୍ଷା ବ୍ୟବସ୍ଥାକୁ ଏକବିଂଶ ଶତାବ୍ଦୀର ବିଶ୍ୱ ଜ୍ଞାନ ଶକ୍ତିରେ ପରିଣତ କରିବା ପାଇଁ ଏକ ବଡ଼ କଳ୍ପନା କରିଥିଲେ । ବର୍ତ୍ତମାନ ଆମ ଦେଶରେ ୨୬ କୋଟିରୁ ଅଧିକ ପିଲା ସ୍କୁଲ ଯାଉଥିବା ବେଳେ ୪ କୋଟିରୁ ଅଧିକ ଛାତ୍ରଛାତ୍ରୀ ଉଚ୍ଚଶିକ୍ଷାନୁଷ୍ଠାନ ଗୁଡ଼ିକରେ ଅଧ୍ୟୟନ କରୁଛନ୍ତି । ଏହି ପରିସଂଖ୍ୟାନ ବିଶ୍ୱର ସର୍ବବୃହତ୍ ଶିକ୍ଷା ବ୍ୟବସ୍ଥା ମଧ୍ୟରୁ ଭାରତର ଶିକ୍ଷା ବ୍ୟବସ୍ଥା ଅନ୍ୟତମ ବୋଲି ଦର୍ଶାଉଛି । ଜନସାଧାରଣଙ୍କ ସମେତ ଷ୍ଟେକହୋଲଡରଙ୍କ ସହ ବ୍ୟାପକ ବିଚାର ବିମର୍ଶ ପରେ ଦେଶରେ ଦୀର୍ଘ ୩୪ ବର୍ଷର ବ୍ୟବଧାନ ପରେ ଜାତୀୟ ଶିକ୍ଷାନୀତି (ଏନଇପି) ୨୦୨୦ ପ୍ରଣୟନ ହୋଇଛି। ଆମ ସମସ୍ତଙ୍କ ପାଇଁ ଖୁସି ଓ ଉଲ୍ଲାସର ବିଷୟ, ଜୁଲାଇ ୨୯, ୨୦୨୩ ତାରିଖରେ ଭାରତ ସଫଳତାପୂର୍ବକ ଜାତୀୟ ଶିକ୍ଷା ନୀତିର ତୃତୀୟ ବର୍ଷ ପୂର୍ତ୍ତି ପାଳନ କରୁଛି। ଏହି ଅବସରରେ ଦୁଇ ଦିବସୀୟ ଅଖିଳ ଭାରତୀୟ ଶିକ୍ଷା ସଙ୍ଗମ ତଥା ଶିକ୍ଷା ଉପରେ ଏକ ମହାକୁମ୍ଭ କାର୍ୟ୍ୟକ୍ରମ ମଧ୍ୟ ଆୟୋଜନ କରାଯାଉଛି।
ଗତ ତିନି ବର୍ଷରେ ଜାତୀୟ ଶିକ୍ଷା ନୀତିରେ ଉଲ୍ଲେଖନୀୟ ସଫଳତା ଦେଖିବାକୁ ମିଳିଛି। ଭାରତର ଇତିହାସରେ ପ୍ରଥମ ଥର ପାଇଁ, ପ୍ରାରମ୍ଭିକ ଶିଶୁ ଯତ୍ନ ଏବଂ ଶିକ୍ଷା (ଇସିସିଇ) ଆନୁଷ୍ଠାନିକ ବିଦ୍ୟାଳୟ ଶିକ୍ଷା ବ୍ୟବସ୍ଥାରେ ସମନ୍ୱିତ ହୋଇଛି। କାରଣ ଜଣେ ଶିଶୁର ପ୍ରାରମ୍ଭିକ ପାଠପଢା ସମୟରୁ ୮ ବର୍ଷ ପର୍ୟ୍ୟନ୍ତ ୮୦ ପ୍ରତିଶତ ମାନସିକ ବିକାଶ ହୋଇଥାଏ। ଏହା ବ୍ୟତୀତ ପ୍ରାରମ୍ଭିକ ପର୍ୟ୍ୟାୟରେ ପ୍ରଥମ ଜାତୀୟ ପାଠ୍ୟକ୍ରମ ଫ୍ରେମଓ୍ୱାର୍କ (ଏନସିଏଫ୍-ଏଫ୍ ଏସ୍)ର ବିକାଶରେ ୩-୮ ବର୍ଷ ବୟସର ପିଲାଙ୍କ ପାଇଁ ଖେଳ ଭିତ୍ତିକ ଶିକ୍ଷାଦାନ ଉପରେ ଗୁରୁତ୍ୱ ଦିଆଯାଇଛି। ଏହି ଫ୍ରେମୱାର୍କରେ କଥୋପକଥନ, କାହାଣୀ, ସଙ୍ଗୀତ, କଳା, ହସ୍ତଶିଳ୍ପ, ଖେଳକୁଦ, ନେଚର୍ ଫିଲ୍ଡ ଟ୍ରିପ୍, ପାଠପଢା ସାମଗ୍ରୀ ଏବଂ ଖେଳନା ସହିତ ପାରସ୍ପରିକ ଯୋଡି ହୋଇ ଖେଳିବା ଭଳି ବିଭିନ୍ନ କାର୍ୟ୍ୟକଳାପ ସାମିଲ ଅଛି। ଏହାର ଉଦାହରଣସ୍ୱରୂପ ବିଦ୍ୟାଳୟଗୁଡ଼ିକ ପାଇଁ ଯାଦୁଇ ପିଟାରା (ମ୍ୟାଜିକ୍ ବକ୍ସ) ଆରମ୍ଭ କରାଯାଇଛି।
୨୦୨୬ ସୁଦ୍ଧା ମୌଳିକ ସାକ୍ଷରତା ଏବଂ ପରିସଂଖ୍ୟାନ ହାସଲ ପାଇଁ ଜାତୀୟ ନିପୁଣ ଭାରତ ମିଶନର ପରିପୂରକ ଭାବେ ଏନସିଏଫ-ଏଫଏସ ଆଧାରିତ ପ୍ରଥମ ଓ ଦ୍ୱିତୀୟ ଶ୍ରେଣୀ ପାଇଁ ପାଠ୍ୟପୁସ୍ତକ ପ୍ରକାଶିତ ହୋଇଛି। ଆଗାମୀ ଦିନରେ ଜାତୀୟ ବିଦ୍ୟାଳୟ ଶିକ୍ଷା ପାଠ୍ୟକ୍ରମ ଢାଞ୍ଚା (ଏନସିଏଫ-ଏସଇ) ସହ ମିଶି ପାଖାପାଖି ୧୫୦ଟି ନୂତନ ପାଠ୍ୟପୁସ୍ତକ ମଧ୍ୟ ଉପଲବ୍ଧ ହେବ। ଏଗୁଡ଼ିକ ଅମୃତକାଳର ପୁସ୍ତକ ହେବ ଏବଂ ଅତି କମରେ ୨୨ଟି ଭାରତୀୟ ଭାଷାରେ ବିକଶିତ ହେବ, ଯାହା ନୂଆ ଶିକ୍ଷା ନୀତି ଅଧୀନରେ ବହୁଭାଷୀ ଶିକ୍ଷାକୁ ପ୍ରୋତ୍ସାହିତ କରିବ। ପିଏମ୍ ଇ-ବିଦ୍ୟା ଜରିଆରେ ପାଠ୍ୟପୁସ୍ତକର ଡିଜିଟାଲ ସଂସ୍କରଣ ଉପଲବ୍ଧ କରାଯାଉଛି। ଏହି ପଦକ୍ଷେପ ସର୍ବସ୍ପର୍ଶୀ ଏବଂ ଚାହିଦା ଅନୁସାରେ ପାଠପଢାକୁ ସୁନିଶ୍ଚିତ କରୁଛି। ଜାତୀୟ ଶିକ୍ଷା ନୀତିର ବାସ୍ତବ ଭାବନାକୁ ପ୍ରତିନିଧିତ୍ୱ କରୁଥିବା ରାଇଜିଂ ଇଣ୍ଡିଆ ପାଇଁ ପିଏମ ଶ୍ରୀ ବିଦ୍ୟାଳୟ ମଧ୍ୟ ସମଗ୍ର ଦେଶରେ ପ୍ରତିଷ୍ଠା କରାଯାଉଛି। ଜାତୀୟ ଶିକ୍ଷା ନୀତି ୨୦୨୦ ଏହାର ଇଣ୍ଟିଗ୍ରେସନ ଏବଂ ମୌଳିକ ଶିକ୍ଷା ସହିତ ମୁଖ୍ୟ ସ୍ରୋତରେ ସାମିଲ ହେବା ମାଧ୍ୟମରେ ଧନ୍ଦାମୂଳକ ଶିକ୍ଷା ଉପରେ ବିଶେଷ ଗୁରୁତ୍ୱ ଦେଇଛି। ବିଦ୍ୟାଳୟ ସ୍ତରରେ ଦକ୍ଷତା କାର୍ୟ୍ୟକ୍ରମ ଆରମ୍ଭ କରିବା ପାଇଁ ଆମେ ସମଗ୍ର ଶିକ୍ଷା ଏବଂ ସ୍କିଲ୍ ଇଣ୍ଡିଆ ମିଶନ ମଧ୍ୟରେ ପାରସ୍ପରିକ ସମନ୍ୱୟତା ସୃଷ୍ଟି କରୁଛୁ। ଛାତ୍ରଛାତ୍ରୀ ଓ ଡ୍ରପ୍ ଆଉଟମାନଙ୍କୁ ବ୍ୟାପକ ଦକ୍ଷତା ଏବଂ ଧନ୍ଦାମୂଳକ ପ୍ରଶିକ୍ଷଣ କାର୍ୟ୍ୟକ୍ରମ ପ୍ରଦାନ କରିବା ପାଇଁ ବିଦ୍ୟାଳୟଗୁଡ଼ିକରେ ୫,୦୦୦ ସ୍କିଲ୍ ହବ୍ ପ୍ରତିଷ୍ଠା କରାଯାଉଛି।