ଏନ୍ଏନ୍ଏସ ଓଡିଆ: ଅନୁକୂଳ ପରିବେଶ ସାଙ୍ଗକୁ ଘଞ୍ଚ ଅରଣ୍ୟର ବୃକ୍ଷରାଜି ପାଇଁ ସାତକୋଶିଆ ଅଭୟାରଣ୍ୟ ଖ୍ୟାତି ଲାଭ କରିଛି । ମହାନଦୀର ଏହି ଅଭୟାରଣ୍ୟ ମଧ୍ୟଦେଶ ମହାନଦୀ ମଧ୍ୟଦେଇ ଦୀର୍ଘ ୭କୋଶ ଅର୍ଥାତ୍ ପ୍ରାୟ ୨୨କିମି ଗତି କରିଛି । ଅନୁଗୋଳ ଜିଲ୍ଲାର ଆଠମଲ୍ଲିକ ବ୍ଲକର ବିନିକେଇ ଠାରୁ ନୟାଗଡର କୁସଙ୍ଗ ଛାମୁଣ୍ଡିଆ ପର୍ଯ୍ୟନ୍ତ ଏହି ସାତକୋଶିଆ ଅଭୟାରଣ୍ୟ ବ୍ୟାପିଛି ।
୧୯୭୬ରେ ସାତକୋଶିଆକୁ ଅଭୟାରଣ୍ୟ ଘୋଷଣା ହୋଇଥିବା ବେଳେ ଏହାର ପରିସୀମା ସେ ସମୟ ୭୯୬ ବର୍ଗ କିମି ଥିଲା । ପରବର୍ତ୍ତି ସମୟରେ ନୟାଗଡ ଜିଲ୍ଲର ବାଇଶପଲ୍ଲୀ ଅଭୟାରଣ୍ୟକୁ ମିଶାଇ ୨୦୦୭ରେ ସାତକୋଶିଆ ବନ୍ୟପ୍ରଣୀ ଅଭୟାରଣ୍ୟ ଗଠନ କରାଯାଇଥିଲା । ସର୍ବମୋଟ ୯୬୩.୮୭ ବର୍ଗ କିମିକୁ ନେଇ ଏହି ନୂତନ ଅଭୟାରଣ୍ୟର ଗଠନ ହୋଇଥିବା ବେଳେ ଏଥିରେ ୫୨୩.୬୧ ବର୍ଗକିମି କୋର ଜଙ୍ଗଲ ଥିବା ଜଣାପଡିଛି। ଏହି ଜଙ୍ଗଲରେ ବିଭିନ୍ନ ଜୀବଜନ୍ତୁ ବସବାସ କରୁଥିବା ଜଣାଯାଏ। କାଳକ୍ରମେ ଶିକାରୀଙ୍କ ଲୋଲୁପ ଦୃଷ୍ଟିରୁ ବଞ୍ଚିପାରି ନଥିଲେ ଏହି ବାଘବଂଶ। ଗୋଟିଏ ପରେ ଗୋଟିଏ ବାଘକୁ ଶିକାର କରିବା ପରେ ଆଉ ମାତ୍ର ଗୋଟିଏ ମାଈ ବାଘୁଣୀ ଏହି ଜଙ୍ଗଲରେ ସାତକୋଶିଆ ବାଘବଂଶର ଶେଷ ଦାୟାଦ ହୋଇରହିଥିଲା। ଗତ ବର୍ଷେ ତଳେ ସାତକୋଶିଆରୁ ନିଶ୍ଚିହ୍ନ ହୋଇଯାଇଛି। ଏହାର ନିଖୋଜ ନେଇ ଆଜିପଯ୍ୟନ୍ତ ସାତକୋଶିଆ ବନଖଣ୍ଡ କୌଣସି ତଥ୍ୟ ରଖି ନଥିବା ଜଣାପଡିଛି। ବର୍ତ୍ତମାନ ଏହି ବନଖଣ୍ଡ ବାଘଶୂନ୍ୟ ହୋଇ ପଡିଛି।
ଏହା ମଧ୍ୟରେ ମଧ୍ୟପ୍ରଦେଶର ବନ୍ଧବଗଡ଼ ଓ କାହ୍ନା ଜାତୀୟ ଅଭୟାରଣ୍ୟରୁ ଆନ୍ତଃ ରାଜ୍ୟ ବ୍ୟାଘ୍ର ସ୍ଥାନାନ୍ତର ପ୍ରକଳ୍ପ ମାଧ୍ୟମରେ ଏକଯୋଡ଼ା ମହାବଳ ବାଘ ବାଘୁଣୀକୁ ଆଣି ସାତକୋଶିଆ ଜଙ୍ଗଲରେ ଛଡାଯାଇଥିଲା। କୋଟି କୋଟି ଟଙ୍କା ସାରି ଏହି ପ୍ରକଳ୍ପ କରାଯାଇଥିବା ବେଳେ ବନବିଭାଗର ଦୂରଦୃଷ୍ଟି ଅଭାବ ସହ ଲୋକଙ୍କୁ ଏହି ଯୋଜନା ସହ ନଯୋଡିବା କାରଣରୁ ଫେଲ ମାରିଥିଲା। ଗୋଟିଏ ଅଣ୍ଡିରା ବାଘ ଟି-୧ ବା ମହାବୀର ଶିକାରୀ ଜାଲରେ ପଡି ପ୍ରାଣ ହରାଇଥିଲା। ଆଉ ଗୋଟିଏ ବାଘୁଣୀ ଟି-୨ ବା ସୁନ୍ଦରୀ ଲୋକଙ୍କୁ ମାରି ବର୍ଷ ବର୍ଷ ଧରି ଏନକ୍ଲୋଜର ମଧ୍ୟରେ ବନ୍ଦୀ ହୋଇରହିଥିଲା। ଏହି ସବୁ ସମସ୍ୟା ମଧ୍ୟରେ ପୁଣି ଥରେ ବ୍ୟାଘ୍ର ପକଳ୍ପର ସ୍ୱପ୍ନ ଦେଖୁଛି ସାତକୋଶିଆ ବନଖଣ୍ଡ। ଉଜୁଡି ଯାଇଥିବା ପରିବେଶକୁ ପୁଣି ଥରେ ଛିଡା କରିବା ପାଇଁ ପ୍ରଚେଷ୍ଟା ଜାରି ରଖିଛି। ଆଉ ଏକ ପୁନର୍ବିନ୍ୟାସର ଚିତ୍ର ଆଙ୍କିବାରେ ଅପ୍ରାଣ ଉଦ୍ୟମ ଜାରି ରଖିଥିବା ବେଳେ ଅନ୍ତରାଞ୍ଚଳ ଜଙ୍ଗଲ ମଧ୍ୟରୁ ଗାଁ ଗୁଡିକୁ ବିସ୍ଥାପନ ବା ସ୍ଥାନାନ୍ତରଣ ପ୍ରକ୍ରିୟାକୁ ପ୍ରାଧାନ୍ୟ ଦେଇଛି।