ଏନ୍ଏନ୍ଏସ ଓଡିଆ, ମଣିପୁର: ମଣିପୁରରେ ଦୁଇଜଣ ମହିଳାଙ୍କୁ ବିବସ୍ତ୍ର କରି ରାସ୍ତାରେ ଚଲାଇବା ଘଟଣାର ତଦନ୍ତ କରିବ ସିବିଆଇ । ଗୃହ ମନ୍ତ୍ରଣାଳୟ ପକ୍ଷରୁ ମାମଲାର ତଦନ୍ତ ଭାର ସିବିଆଇକୁ ଦିଆଯାଇଛି । ଏନେଇ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଏହା ବ୍ୟତୀତ ରାଜ୍ୟ ବାହାରେ ମାମଲାର ଶୁଣାଣି କରିବା ପାଇଁ ସୁପ୍ରିମକୋର୍ଟଙ୍କୁ କେନ୍ଦ୍ର ସରକାର ଅନୁରୋଧ କରିବେ ବୋଲି ଜଣାପଡିଛି । ମିଳିଥିବା ସୂଚନା ଅନୁସାରେ, ଦୁଇ ମହିଳାଙ୍କୁ ବିବସ୍ତ୍ର କରି ଯେଉଁ ମୋବାଇଲରେ ଭିଡିଓ ଉଠାଯାଇଥିବା, ସେହି ମୋବାଇଲ ଜବତ ହୋଇସାରିଛି । ଏପରିକି ଭିଡିଓ ସୁଟ କରିଥିବା ବ୍ୟକ୍ତିଙ୍କୁ ମଧ୍ୟ ପୋଲିସ ଗିରଫ କରିସାରିଛି । ସେପଟେ କେନ୍ଦ୍ର ପକ୍ଷରୁ ମଣିପୁରର କୁକି ଏବଂ ମୈତେଇ ସଂପ୍ରଦାୟର ସଦସ୍ୟଙ୍କ ମଧ୍ୟରେ ଆଲୋଚନା ଜାରି ରହିଛି। ମଣିପୁରରେ କିଭଳି ସ୍ଥିତି ଫେରାଇ ଅଣାଯାଇପାରିବ, ସେନେଇ ଘନ ଘନ ଆଲୋଚନା ଜାରି ରଖିଛନ୍ତି କେନ୍ଦ୍ର ସରକାର। ଏହି ୨ ସଂପ୍ରଦାୟ ମଧ୍ୟରେ ବଫର୍ ଜୋନ ତିଆରି କରାଯାଇଥିବା ମଧ୍ୟ କୁହାଯାଉଛି ।
ଅନ୍ୟପଟେ ମଣିପୁରରେ ଶାନ୍ତି ଫେରାଇ ଆଣିବା ପାଇଁ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀମାନେ ନିୟମିତ ପ୍ରୟାସ କରୁଛନ୍ତି। ଏଥିପାଇଁ ସେମାନେ ଉଭୟ କୁକି ଓ ମୈତେଇ ସଂପ୍ରଦାୟର ନେତାମାନଙ୍କ ସହ ଯୋଗାଯୋଗାରେ ରହିଛନ୍ତି। ଆପୋଷ ବୁଝାମଣା ପାଇଁ ସରକାର ଚେଷ୍ଟା କରୁଥିଲେ ହେଁ ଦୁଇ ପକ୍ଷ ଏଯାଏ ଏକମତ ହୋଇ ପାରି ନାହାନ୍ତି। ତଥାପି ସରକାର ଖୁବଶୀଘ୍ର ସମାଧାନର ରାସ୍ତା ବାହାରିବ ବୋଲି ଆଶା ରଖି ଦୁଇ ପକ୍ଷଙ୍କୁ ବୁଝାସୁଝା କରୁଥିବା ଏହି ସୂତ୍ରରେ କୁହାଯାଇଛି। ହିଂସାରୁ ଫାଇଦା ଉଠାଇବା ପାଇଁ ପଡ଼ୋଶୀ ମିଆଁମାରରେ ଥିବା ବିଦ୍ରୋହୀ ପ୍ରବେଶ କରିବାର ଆଶଙ୍କା ରହିଛି। ଏଥିପାଇଁ ଭାରତ-ମିଆଁମାର ସୀମାରେ ବାଡ଼ ଲଗାଇବା ବ୍ୟବସ୍ଥା କରାଯାଇଛି। ସେହିପରି ମିଜୋରାମ-ମଣିପୁର ସୀମାରେ ମଧ୍ୟ ସମାନ କାମ ଚାଲିଛି। ସର୍ଭେ କାମ ମଧ୍ୟ ଯୁଦ୍ଧକାଳୀନ ଭିତ୍ତିରେ କରାଯାଉଛି।