ଏନ୍ଏନ୍ଏସ ଓଡିଆ, ଭୁବନେଶ୍ୱର: ୩ଦିନିଆ ଓଡିଶା ଗସ୍ତରେ ଆସିଥିବା ରଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ୩ୟ ବା ଶେଷ ଦିନ । ଅନ୍ତିମ ଦିନରେ ଭୁବନେଶ୍ବରରେ ଦୁଇଟି କାର୍ୟ୍ୟକ୍ରମରେ ସାମିଲ ହୋଇ ଅପରାହ୍ଣରେ କର୍ମକ୍ଷେତ୍ରକୁ ଫେରିଯିବେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।ଓଡିଶା ଗସ୍ତର ଶେଷ ଦିନରେ ଆଜି ଓଡିଶା ଆଦିବାସୀଙ୍କ ସମସ୍ୟା ଶୁଣିବେ ଭାରତର ପ୍ରଥମ ଆଦିବାସୀ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ୧୦ଟି ଜନଜାତି ସମୁଦାୟଙ୍କୁ ଭେଟିବେ ରାଷ୍ଟ୍ରପତି । ଏହା ପରେ ଭୁବନେଶ୍ବର ଉପକଣ୍ଠ ତମାଣ୍ଡୋରେ ରାଷ୍ଟ୍ରପତିଙ୍କ ପରବର୍ତ୍ତୀ କାର୍ୟ୍ୟକ୍ରମ ରହିଛି । ଦଶବାଟିଆ ସ୍ଥିତ ବ୍ରହ୍ମକୁମାରୀ ସେଣ୍ଟରର ଲାଇଟହାଉସ କମ୍ପ୍ଲେକ୍ସର ଶିଳାନ୍ୟାସ କରିବା ସହ ବ୍ରହ୍ମକୁମାରୀ ବରିଷ୍ଠ ସଦସ୍ୟଙ୍କ ସହ ଆଲୋଚନା କରି ମଧ୍ୟାହ୍ନ ଭୋଜନ କରିବେ ମହାମହିମ ରାଷ୍ଟ୍ରପତି । ତମାଣ୍ଡୋ ବାଲିଆପଡାରେ ‘ଦି ଇୟର ଅଫ୍ ପଜିଟିଭ ଚେଞ୍ଜ’ ଥିମ ଲଞ୍ଚ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଏହା ପରେ ଅପରାହ୍ନ ୪ଟା ୨୫ରେ ସ୍ବତନ୍ତ୍ର ବିମାନ ଯୋଗେ ଦିଲ୍ଲୀ ଫେରିଯିବେ । ପ୍ରକାଶଥାଉ କି, ଜୁଲାଇ ୨୫ରୁ ୩ ଦିନିଆ ଓଡିଶା ଗସ୍ତରେ ଆସିଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ପ୍ରଥମେ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ସ୍ବାଗତ କରିଥିଲେ । ଏହାପରେ ରାଜଭବନରେ କିଛି ସମୟ ବିଶ୍ରାମ ନେଇ ‘ଅତୁଟ ବନ୍ଧନ’ ଅନୁଷ୍ଠାନ ସହାୟତାରେ ପଢୁଥିବା ମେଡିକାଲ ଛାତ୍ରଛାତ୍ରୀଙ୍କୁ ସମ୍ବୋଧନ କରିଥିଲେ । ଏହା ପର ଦିନ ଅର୍ଥାତ ଜୁଲାଇ ୨୬ ତାରିଖରେ ରଜଭବନରୁ ସଡକପଥରେ କଟକ ଗସ୍ତ କରିଥିଲେ । ସେଠାରେ କଟକର ଅଧିଷ୍ଠାତ୍ରୀ ଦେବୀ ମାଆ ଚଣ୍ଡୀଙ୍କୁ ଦର୍ଶନ କରିବା ପରେ ଓଡିଶା ହାଇକୋର୍ଟ ୭୫ତମ ପ୍ରତିଷ୍ଠା ଦିବସ କାର୍ୟ୍ୟକ୍ରମରେ ସାମିଲ ହୋଇଥିଲେ । ଏହା ପରେ ଏସସିବି ମେଡିକାଲ କଲେଜ ଛାତ୍ରସଂସଦର ବାର୍ଷିକ ଉତ୍ସବରେ ଯୋଗ ଦେଇ ରାଜଭବନ ଫେରିଥିଲେ ।