ଏନ୍ଏନ୍ଏସ୍ ଓଡିଆ, ମଣିପୁର: ମଣିପୁର ଭାଇରାଲ୍ ଭିଡିଓ ମାମଲାରେ ସମ୍ପୃକ୍ତ ଥିବା ଆଉ ଅଭିଯୁକ୍ତଙ୍କୁ ଗତକାଲି ରାତିରେ ଗିରଫ କରାଯାଇଥିବା କଥା ପୁଲିସ କହିଛି । ଗତକାଲିର ଗିରଫଦାରିକୁ ମିଶାଇ ଜଣେ ନାବାଳକଙ୍କ ସମେତ ଏହି ଘଟଣାରେ ଲିପ୍ତ ଥିବା ୭ଜଣଙ୍କୁ ଗିରଫ କରାଯାଇ ସାରିଲାଣି । ଏହି ମାମଲାରେ ସମ୍ପୃକ୍ତ ଥିବା ଅନ୍ୟମାନଙ୍କୁ ଗିରଫ କରିବା ପାଇଁ ମଣିପୁର ପୁଲିସ ଦୌନିକ ତଲାସ ଜାରି ରଖିଛି । ଗତରାତିରେ ୭ମ ଅଭିଯୁକ୍ତଙ୍କ ଥୌବାଲ୍ ଜିଲ୍ଲାରୁ କରାଯାଇଥିବା କଥା ପୁଲିସ ଅଧିକାରୀମାନେ କହିଛନ୍ତି । ୭ମ ଗିରଫଦାରି ଖବରକୁ ସୁନିଶ୍ଚିତ କରି ମଣିପୁର ପୁଲିସ ଟୁଇଟ୍ କରି କହିଛି ଯେ, ଭାଇରାଲ୍ ଭିଡିଓ ମାମଲାରେ ଜଣେ ନାବାଳକଙ୍କ ସମେତ ୭ଜଣ ଅଭିଯୁକ୍ତଙ୍କୁ ଗିରଫ କରାଗଲାଣି । ଭିଡିଓଟି ହେଉଛି, ମେ ୪ ତାରିଖ ଦିନ ୨ଜଣ ମହିଳାଙ୍କୁ ଉଲଗ୍ନ କରି ବାଟ ଚଲାଇବାର ଘଟଣାର ।ଉଲ୍ଲେଖଯୋଗ୍ୟ, ମଣିପୁରର କାଙ୍ଗ୍ପୋକ୍ପି ଜିଲ୍ଲା ଅନ୍ତର୍ଗତ ବି ଫାଇନୋମ୍ ଗ୍ରାମ ନିକଟ ରାଜପଥରେ ‘କୁକି-ଜୋମି’ ସମ୍ପ୍ରଦାୟର ୨ଜଣ ମହିଳାଙ୍କୁ ଉଲଗ୍ନ କରାଯିବା ସହିତ ଯୌନ ଉତ୍ପୀଡ଼ନ ଦେଇ ରାସ୍ତାରେ ବୁଲାଯାଇଥିବା ଭିଡିଓ ସାମାଜିକ ଗଣମାଧ୍ୟମରେ ବୁଧବାର ଦିନ ଭାଇରାଲ୍ ହେବା ପରେ ଦେଶ ବ୍ୟାପୀ ତୀବ୍ର ପ୍ରତିକ୍ରିୟା ଦେଖାଦେଇଛି। ଘଟଣାଟି ମେ ୪ ତାରିଖରେ ଘଟିଥିଲା। ସେଦିନ ଅପରାହ୍ଣ ପ୍ରାୟ ୩ଟା ବେଳେ ୮୦୦ରୁ ୧୦୦୦ ଦୁର୍ବୃତ୍ତ ଅସ୍ତ୍ରଶସ୍ତ୍ର ଧରି ବି ଫାଇନୋମ୍ ଗ୍ରାମରେ ପ୍ରବେଶ କରିଥିଲେ।
ଦେଶବ୍ୟାପୀ ତୀବ୍ର ଅସନ୍ତୋଷ ପ୍ରକାଶ ପାଇବା ପରେ ପୁଲିସ ତତ୍ପର ହୋଇ ତଲାସ ଆରମ୍ଭ କରି ଜୁଲାଇ ୨୦ ତାରିଖ ଦିନ ପ୍ରଥମ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ପରେ ସେଦିନ ଆଉ ୩ଜଣ ଅଭିଯୁକ୍ତଙ୍କୁ ମଧ୍ୟ ଗିରଫ କରାଯାଇଥିଲା।