ଏନ୍ଏନ୍ଏସ ଓଡିଆ, ପୁରୀ: ଶ୍ରଦ୍ଧାଳୁମାନେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିବା ପାଇଁ ପୂର୍ବଭଳି ଶ୍ରୀମନ୍ଦିରର ଚାରିଦ୍ୱାରର ଦର୍ଶନ ବ୍ୟବସ୍ଥା ଉପରେ କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗୁରୁତ୍ୱାରୋପ କରିଛନ୍ତି । ଏନେଇ ସେ ଶ୍ରୀମନ୍ଦିର ପ୍ରଶାସନକୁ ପଦକ୍ଷେପ ନେବାକୁ କହିଛନ୍ତି । ଶ୍ରୀ ପ୍ରଧାନ କହିଛନ୍ତି , କରୋନା ସଂକ୍ରମଣ ସମୟରେ ଶ୍ରୀମନ୍ଦିରର ୩ଟି ଦ୍ୱାର ବନ୍ଦ ଥିବାବେଳେ ସିଂହଦ୍ୱାର ଖୋଲାଥିଲା । ତେବେ ବର୍ତ୍ତମାନ କରୋନା ସଂକ୍ରମଣ ଭୟ ନ ଥିବାରୁ ଭକ୍ତମାନଙ୍କ ଭାବବେଗକୁ ଦୃଷ୍ଟିରେ ରଖି ଚାରୋଟି ଯାକ ଦ୍ୱାରକୁ ଖୋଲାଯିବାର ଆବଶ୍ୟକତା ଅଛି । ଏହା ଦ୍ୱାର ପୁରୀର ଅଧିବାସୀ ଏବଂ ଅନ୍ୟାନ୍ୟ ଜନସାଧାରଣ ବିନା ଭିଡରେ ସୁରକ୍ଷିତ ଭାବେ ଦର୍ଶନ କରିବା ସହ ଉପକୃତ ହୋଇପାରିବେ।ସେହିପରି ଦର୍ଶନାର୍ଥୀମାନଙ୍କର ଅନୁରୋଧ ଓ ଭାବାବେଗକୁ ସମ୍ମାନ ଜଣାଇ ଶ୍ରୀମନ୍ଦିର ପ୍ରଶାସନ ତୁରନ୍ତ ଚାରିଟି ଯାକ ଦ୍ୱାର ଖୋଲିବା ପାଇଁ କଂଗ୍ରେସର ବରିଷ୍ଠ ନେତା ନରସିଂହ ମିଶ୍ର କହିଛନ୍ତି ।
ତେବେ ରାଜସ୍ବ ମନ୍ତ୍ରୀ ପ୍ରମିଳା ମଲ୍ଲିକ କହିଛନ୍ତି, ସଠିକ୍ ସମୟ ଆସିଲେ ଶୀମନ୍ଦିରର ଚାରୋଟି ଯାକ ଦ୍ୱାର ନିଶ୍ଚୟ ଖୋଲାଯିବ। ବର୍ତ୍ତମାନ ମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ୟ୍ୟ ଚାଲୁଥିବାରୁ ଭକ୍ତମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏହାକୁ ଖୋଲାଯାଇ ନାହିଁ। ପରବର୍ତ୍ତୀ ସମୟରେ ଏ ନେଇ ଉଚିତ୍ ପଦକ୍ଷେପ ଗ୍ରହଣ କରାଯିବ।
ଅନ୍ୟ ପକ୍ଷରେ ପୁରୀ ଶ୍ରୀମନ୍ଦିରରେ ଶ୍ରଦ୍ଧାଳୁମାନଙ୍କ ଶୃଙ୍ଖଳିତ ଦର୍ଶନ ଲାଗି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏକ ସବ୍କମିଟି ଗଠନ କରାଯାଇଛି । ଏହି ସବ୍କମିଟିରେ ବରିଷ୍ଠ ସେବାୟତଙ୍କ ସହିତ ଜିଲ୍ଲା ପ୍ରଶାସନର କେତେକ ପଦାଧିକାରୀ ଓ ପୋଲିସ ଅଧିକାରୀ ସଦସ୍ୟ ଅଛନ୍ତି । ଅଗଷ୍ଟ ମାସ ଶେଷ ସୁଦ୍ଧା ଏନେଇ ନିଷ୍ପତ୍ତି ନିଆଯାଇ ପାରେ ବୋଲି ଜଣେ ସେବାୟତ କହିଛନ୍ତି।