ଚଳିତ ବର୍ଷ ବିନା ପରୀକ୍ଷାରେ ପ୍ରଥମରୁ ଅଷ୍ଟମଶ୍ରେଣୀ ଛାତ୍ରଛାତ୍ରୀ ପାସ୍ ହେବେ । ଆଉ ବାର୍ଷିକ ପରୀକ୍ଷା ହେବନାହିଁ । ସେମାନଙ୍କୁ ଉପର ଶ୍ରେଣୀକୁ ଉତ୍ତୀର୍ଣ୍ଣ କରାଯିବ । ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢୁଥିବାବେଳେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସ୍ଥିତିକୁ ଆଖି ଆଗରେ ରଖି ଏଭଳି ଚିନ୍ତା କରୁଛି । ଶିକ୍ଷା କ୍ୟାଲେଣ୍ଡର ଅନୁସାରେ ଆଉ ମାସେ ପରେ ଆରମ୍ଭ ହେବ ନୂଆ ଶିକ୍ଷାବର୍ଷ । ହେଲେ ଏଯାଏଁ ୨୦୨୦-୨୧ ଶିକ୍ଷାବର୍ଷରେ ପଢୁଥିବା ପ୍ରଥମରୁ ଅଷ୍ଟମ ପିଲା ସ୍କୁଲ ବାରଣ୍ଡା ମାଡ଼ିଲେନି । ନବମରୁ ଦ୍ୱାଦଶ କ୍ଲାସ୍ ହୋଇଥିବାବେଳେ ପ୍ରଥମରୁ ଅଷ୍ଟମ ପିଲା କ୍ଲାସ୍ ଆସିନାହାନ୍ତି । ଏପଟେ କରୋନା ସଂକ୍ରମଣର ଭୟ ପାଇଁ ସେମାନଙ୍କ ସ୍କୁଲ ଆଉ ନଖୋଲିପାରେ ବୋଲି ଆଲୋଚନା ହେଉଛି । ତେଣୁ ପିଲାଙ୍କୁ ଏଥର ବି ଉପର ଶ୍ରେଣୀକୁ ବିନା ପରୀକ୍ଷାରେ ଉତ୍ତୀର୍ଣ୍ଣ କରାଯିବ ବୋଲି ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଛି ।