ଏନ୍ଏନ୍ଏସ ଓଡିଆ, ନୟାଗଡ଼: ୫ଟି ସଚିବ ଭିକେ ପାଣ୍ଡିଆନଙ୍କ ନୟାଗଡ଼ ଗସ୍ତ ବେଳେ ଟ୍ରାଫିକ ଜାମ୍ ଦେଖିବାକୁ ମିଳିଥିଲା। ଏଥିଯୋଗୁ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ। ପ୍ରାୟ ଅଧଘଣ୍ଟା ଧରି ଟ୍ରାଫିକ୍ ଜାମ୍ ଯୋଗୁ ଆମ୍ବୁଲାନସ ମଧ୍ୟ ଫସି ରହିଥିଲା। ଫଳରେ ରୋଗୀ ଓ ତାଙ୍କ ସମ୍ପର୍କୀୟମାନେ ହନ୍ତସନ୍ତ ହୋଇଥିଲେ। ଯାହାର ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି। ସେପଟେ ୫ଟି ସଚିବଙ୍କ ନୟାଗଡ ଗସ୍ତକୁ ବିରୋଧ କରି ଆଜି କଂଗ୍ରେସ ପକ୍ଷରୁ ଶାନ୍ତିପୂର୍ଣ୍ଣ ଧାରଣା ପାଇଁ ପ୍ରସ୍ତୁତ ହେଉଥିଲେ। ହେଲେ ଏହି ସମୟରେ ପୋଲିସ୍ ଓଡଗାଁ ଗାନ୍ଧି ଛକରେ ପହଞ୍ଚି କଂଗ୍ରେସ କର୍ମୀଙ୍କୁ ଉଠାଇ ନେଇଥିଲା। ଓଡ଼ଗାଁ ଥାନାରେ ସେମାନଙ୍କୁ ଅଟକ ରଖାଯାଇଛି। ଖବର ଲେଖାଯିବା ସୁଦ୍ଧା ଏନେଇ ଜିଲ୍ଲା ପ୍ରଶାସନ କିମ୍ବା ୫ଟି ସଚିବ ଭିକେ ପାଣ୍ଡିଆନଙ୍କ ପ୍ରତିକ୍ରିୟା ମିଳିପାରିନି।
ଅନ୍ୟପକ୍ଷେ, ୫ଟି ସଚିବ ଭିକେ ପାଣ୍ଡିଆନଙ୍କୁ ଭେଟିବା ଉଦ୍ୟମ ମହଙ୍ଗା ପଡ଼ିଛି। ଗତକାଲି ୫ଟି ସଚିବଙ୍କ ନୟାଗଡ଼ ଗସ୍ତ ବେଳେ ନୟାଗଡ଼ ଚିନିକଳ କ୍ରିୟାନୁଷ୍ଠାନ କମିଟିର ୧୦ ଜଣ ସଦସ୍ୟ ତାଙ୍କୁ ଭେଟିବା ଲାଗି ଉଦ୍ୟମ କରିଥିଲେ। ନୟାଗଡ଼ ଚିନିକଳ ଚାଲୁ କରିବା ଏବଂ ଆଖୁ ଚାଷୀଙ୍କ ସମସ୍ୟା ନେଇ ସେମାନେ ଦାବି ପତ୍ର ଦେବାକୁ ଯିବା ପୂର୍ବରୁ ପୋଲିସ ୧୦ ଜଣଙ୍କୁ ଉଠାଇ ନେଇଥିଲା। ପାଣ୍ଡିଆନଙ୍କ ସମସ୍ତ କାର୍ୟ୍ୟ ସରିବା ପରେ ପୋଲିସ୍ ସେମାନଙ୍କୁ ଛାଡ଼ିଥିଲା।