ଏନ୍ଏନ୍ଏସ ଓଡିଆ, ଭୁବନେଶ୍ୱର: ରାଜ୍ୟରେ ଆଜିଠାରୁ ବର୍ଷା ସମ୍ଭାବନା ରହିଛି । ଉତ୍ତର-ପଶ୍ଚିମ ପାଶ୍ୱବର୍ତ୍ତି ଓଡିଶା ଉପକୂଳରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର । ଯାହାର ପ୍ରଭାବରେ ପ୍ରବଳ ବର୍ଷା ହେବ । ଆଜି ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ୬ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ଆସନ୍ତା ୨୫ ତାରିଖ ଯାଏଁ ରାଜ୍ୟର ବିସ୍ତୁତ ଅଂଚଳରେ ବର୍ଷା ହେବ ବୋଲି ପାଣିପାଗ ବିଭାଗ କହିଛି । ଆଜି ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ନୂଆପଡ଼ା, କଳାହାଣ୍ଡି ଓ କନ୍ଧମାଳର କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ଅଛି । ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ରାୟଗଡ଼ା, କଟକ, ବୌଦ୍ଧ, ସୋନପୁର, ବଲାଙ୍ଗୀର ଓ ବରଗଡ଼ ଜିଲ୍ଲାର ବିଭିନ୍ନ ସ୍ଥାନରେ ଭାରୀ ବର୍ଷା ସମ୍ଭାବନା ଅଛି । ସେହିଭଳି ଦକ୍ଷିଣ ଓଡିଶା, ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶା ଏବଂ ଉତ୍ତର ଉପକୂଳ ଓଡ଼ିଶାର ବିଭିନ୍ନ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ଲଘୁଚାପ ଜନିତ ଲଗାଣ ବର୍ଷାରେ ବେହାଲ ହୋଇଛି ମାଲକାନଗିରି ଓ ଗଜପତି ଜିଲ୍ଲା । ଏହି ଦୁଇ ଜିଲ୍ଲାର ବହୁ ସ୍ଥାନରେ ପୋଲ ଉପରେ ପାଣି ଚାଲୁଥିବାରୁ ପଡ଼ୋଶୀ ଆନ୍ଧ୍ର ଓ ଛତିଶଗଡ଼କୁ ଯୋଗାଯୋଗ ଠପ୍ ହୋଇଛି । ପାରଳାଖେମୁଣ୍ଡିରେ ପୋଲ ଭାସି ଯିବାରୁ ଅନେକ ଗାଁକୁ ଯୋଗାଯୋଗ ବିଛିନ୍ନ ହୋଇଛି ।ସେହିପରି ଆସନ୍ତାକାଲି ସୁବର୍ଣ୍ଣପୁର, ବଲାଙ୍ଗୀର, ସମ୍ବଲପୁର, ବୌଦ୍ଧ, ଅନୁଗୁଳ, କଟକ, ଜଗତ୍ସିଂହପୁର ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ଏବଂ ବାକି ଜିଲ୍ଲାଗୁଡ଼ିକରେ ମଧ୍ୟମରୁ ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି ।