ଅହମଦାବାଦ: ଶୁକ୍ରବାରଠାରୁ ଭାରତ ଓ ଇଂଲଣ୍ଡ ମଧ୍ୟରେ ୫ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ଖେଳାଯିବ । ପ୍ରଥମ ମ୍ୟାଚ୍ ଅହମ୍ମଦାବାଦରେ ସଂଧ୍ୟା ୭ଟାରେ ଆରମ୍ଭ ହେବ । ଏହି ମ୍ୟାଚରେ କିଏ ଇନିଂସ ଓପନ୍ କରିବେ ସେ ନେଇ ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ କୋହଲି ବଡ଼ ବୟାନ ଦେଇଛନ୍ତି। ଟେଷ୍ଟ୍ ଶୃଙ୍ଖଳାକୁ ନିଜ ନାଁରେ କରିବା ପରେ ଟ୍ବେଣ୍ଟି-୨୦ରେ ମଧ୍ୟ ବିଜୟ ବାନା ଉଡ଼ାଇବାର ଲକ୍ଷ୍ୟ ନେଇ ଭାରତୀୟ କ୍ରିକେଟ୍ ଦଳ ପଡ଼ିଆକୁ ଓହ୍ଲାଇବ। ଆଉ ଶୁକ୍ରବାର ଏହି ଶୃଙ୍ଖଳାର ପ୍ରଥମ ଲଢ଼େଇ ସଂଧ୍ୟା ୭ଟାରୁ ଆରମ୍ଭ ହୋଇଯିବ। ନୂଆ ଫର୍ମାଟ୍, ନୂତନ ଉତ୍ସାହ ଏବଂ କିଛି ଯୁବ ହେଲେ ଆତ୍ମବିଶ୍ବାସରେ ଭରପୂର ଖେଳାଳିଙ୍କୁ ନେଇ ଆସନ୍ତାକାଲିଠାରୁ ଫଟାଫଟ୍ କ୍ରିକେଟ୍ ଅଭିଯାନରେ ବାହାରିବ ଟିମ୍ ଇଣ୍ଡିଆ। ସଂପ୍ରତି ଇଂଲଣ୍ଡ ଆଇସିସି ଟ୍ବେଣ୍ଟି-୨୦ ମାନ୍ୟତାର ପ୍ରଥମ ସ୍ଥାନରେ ଥିଲା ବେଳେ ଭାରତ ଦ୍ବିତୀୟରେ ରହିଛି। ଏହା ମଧ୍ୟ ଆଗାମୀ ଶୃଙ୍ଖଳାକୁ ଅଧିକ ରୋମାଞ୍ଚଭରା ଭରିଛି। ଶୃଙ୍ଖଳାର ସବୁ ମ୍ୟାଚ୍ ଅହମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମ୍ରେ ଖେଳାଯିବ। ଟେଷ୍ଟ୍ ଶୃଙ୍ଖଳାରେ ଭାରତୀୟ ସ୍ପିନର ଏହି ଷ୍ଟାଡିୟମ୍ରେ ଇଂଲଣ୍ଡକୁ ଧୂଳି ଚଟାଇଥିଲେ। ଟ୍ବେଣ୍ଟି-୨୦ କିନ୍ତୁ ଭାରତୀୟ ଦଳ ପାଇଁ ଭିନ୍ନ ଆହ୍ବାନ ନେଇ ଆସିବ। ଏଥିରେ ପ୍ରତିପକ୍ଷ ବ୍ୟାଟ୍ସମ୍ୟାନ୍ କଳେ ବଳେ କୌଶଳେ ବଡ଼ ବଡ଼ ସଟ୍ ଖେଳିବାକୁ ଆପ୍ରଣ ଉଦ୍ୟମ କରିବେ। ଏଣୁ ଭାରତୀୟ ବୋଲରଙ୍କୁ ପୂରା ଶୃଙ୍ଖଳିତ ବୋଲିଂ କରିବାକୁ ପଡ଼ିବ। ଟେଷ୍ଟ୍ ବିପରୀତ ଟ୍ବେଣ୍ଟି-୨୦ ଶୃଙ୍ଖଳା ଲାଗି ଏକ ବ୍ୟାଟିଂ ଉପଯୋଗୀ ପିଚ୍ ପ୍ରସ୍ତୁତ କରାଯାଇଥିବା କ୍ୟୁରେଟର ସୂଚନା ଦେଇଛନ୍ତି। ଦୁଇଟି ଯାକ ଦଳରେ ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ଙ୍କ ବହୁଳ ଉପସ୍ଥିତି ଥିବାରୁ ଆସନ୍ତାକାଲି ପ୍ରଶଂସକ ଏକ ବିଶାଳ ସ୍କୋର ବିଶିଷ୍ଟ ମ୍ୟାଚ୍ ଦେଖିବାର ସମ୍ଭାବନା ଅଧିକ।