ଏନଏନଏସ୍: ଭୋପାଳରୁ ଦିଲ୍ଲୀ ଯାଉଥିବା ବନ୍ଦେ ଭାରତ ଟ୍ରେନରେ ଲାଗିଲା ନିଆଁ । ସୂଚନା ମୁତାବକ ଆଜି ଭୋର ସମୟରେ ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରୁ ନୂଆଦିଲ୍ଲୀ ଯାଉଥିବା ବନ୍ଦେ ଭାରତ ଟ୍ରେନର ସି-୧୨ କୋଚର ବ୍ୟାଟେରୀ ବକ୍ସରେ ନିଆଁ ଲାଗିଥିବା କିଛି ରେଳ ଅଧିକାରୀ ଦେଖିବାକୁ ପାଇଥିଲେ। ଏହାପରେ ରାଣୀ କମଳାପତି-ହଜରତ ନିଜାମୁଦିନ ବନ୍ଦ ଭାରତ ଟ୍ରେନକୁ ବିଦିଶା ଜିଲ୍ଲାର କୁରଓ୍ଵାଇ ଏବଂ କେଥୋରା ଷ୍ଟେସନ ମଧ୍ୟରେ ରୋକି ଦିଆଯାଇଥିଲା ।
ନିଆଁ ଲାଗିବା ଖବର ଜାଣିବା ପରେ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ଅନ୍ୟପଟେ ଏହି ଘଟଣାରେ କୌଣସି କ୍ଷୟକ୍ଷତି ହୋଇନଥିବା ଜଣାପଡିଛି । ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ପହଞ୍ଚାଯାଇଛି ।