ପୁରୀ(ଏନଏନଏସ୍): ଆଜି ଶ୍ରୀମନ୍ଦିରରେ ପବିତ୍ର ଚିତାଲାଗି ଅମାବାସ୍ୟା। ଏନେଇ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି ମଧ୍ୟରେ ଶ୍ରୀବିଗ୍ରହ ମାନଙ୍କ ଚିତାଲାଗି ଅନୁଷ୍ଠିତ ହେବ। ଶ୍ରାବଣ ମାସର ଚିତାଲାଗି ଅମାବାସ୍ୟା ତିଥିରେ ପରମ୍ପରା ଅନୁସାରେ ଦଇତାପତିମାନେ ମହାପ୍ରଭୁଙ୍କ ମସ୍ତକରୁ ସ୍ନାନପୂର୍ଣ୍ଣିମା ଦିନ ଖୋଲାଯାଇଥିବା ରତ୍ନ ଚିତାକୁ ଦଇତାପତିମାନେ ଆଜି ଲଗାଇଥାନ୍ତି । ଜଗନ୍ନାଥଙ୍କୁ ଶୁଭ୍ର ହୀରା,ବଳଭଦ୍ରଙ୍କୁ ନୀଳା ଓ ସୁଭଦ୍ରାଙ୍କୁ ଦୁର୍ମୂଲ୍ୟ ପାନ୍ନା ଖଚିତ ରତ୍ନଚିତା ଲାଗି ହେବ ।
ସେହି ଚିତାକୁ ଭଣ୍ଡାର ଘରେ ସୁରକ୍ଷିତ ରଖାଯାଇଥିବାବେଳେ ଆଜି ଅମାବାସ୍ୟା ତିଥିରେ ଭଣ୍ଡାର ଘରୁ ଅଣାଯାଇ ମହାପ୍ରଭୁଙ୍କ ମସ୍ତକରେ ଲାଗି କରାଯିବ। ଏହା ଗୁପ୍ତ ନୀତି ହୋଇଥିବାରୁ ପ୍ରଥମ ଭୋଗମଣ୍ଡପ ନୀତି ପରେ ଦିନ ୨ଟାରୁ ସନ୍ଧ୍ୟା ୬ଟା ମଧ୍ୟରେ ଚିତା ଲାଗି କରାଯିବ। ଏହି ସମୟରେ ସାଧାରଣ ଦର୍ଶନ ପ୍ରାୟ ୪ ଘଣ୍ଟା ଧରି ବନ୍ଦ ରହିବ। ।