ଭୁବନେଶ୍ୱର : କୋଭିଡ୍ ମହାମାରୀ ଯୋଗୁ ୨୦୨୧ ମସିହାରେ ହେବାକୁ ଥିବା ଜନଗଣନା କାର୍ଯ୍ୟ ବନ୍ଦ ରହିଥିବାବେଳେ ଏହା ପୁଣି କେବେ ଆରମ୍ଭ ହୋଇ କେବେ ସରିବ ସେଥିଘେନି ଅନିଶ୍ଚିତତା ଦେଖାଦେଇଛି ।
୧୮୮୧ ମସିହାରୁ ଭାରତରେ ଜନଗଣନା ପ୍ରତି ୧୦ବର୍ଷରେ ଥରେ ହୋଇଥାଏ । ଏହି କ୍ରମରେ ୨୦୧୧ ମସିହାରେ ଶେଷ ଜନଗଣନା ହୋଇଥିଲା । ୨୦୨୧ର ଜନଗଣନା ପାଇଁ ପ୍ରସ୍ତୁତିପର୍ବ ଚାଲିଥିବାବେଳେ କୋଭିଡ୍ ମହାମାରୀ ଯୋଗୁ ଏଥିରେ ବ୍ୟାଘାତ ସୃଷ୍ଟି ହୋଇଥିଲା । ୨୦୧୯ ମାର୍ଚ୍ଚ ଓ ଜୁଲାଇ ମାସରେ ଜନଗଣନା ସଂକ୍ରାନ୍ତରେ ଭାରତ ସରକାର ଗେଜେଟ୍ ବିଜ୍ଞପ୍ତି ମଧ୍ୟ ଜାରି କରିଥିଲେ । ତେବେ କୋଭିଡ୍ ପାଇଁ ଘରକୁ ଘର ବୁଲି ଜନଗଣନା ତଥ୍ୟ ସଂଗ୍ରହ କରିବା ଅସମ୍ଭବପର ଥିବାରୁ ତାହାକୁ କେନ୍ଦ୍ର ସରକାର ସ୍ଥଗିତ ରଖିଥିଲେ । ଫଳରେ ଏଯାବତ୍ ନ୍ୟାସନାଲ୍ ପପୁଲେସନ୍ ରେଜିଷ୍ଟରରେ ଥିବା ପୁରୁଣା ତଥ୍ୟ ସଂଶୋଧିତ ହୋଇପାରୁନାହିଁ ।
କୋଭିଡ୍ ପାଇଁ ଜନଗଣନାକୁ ସ୍ଥଗିତ ରଖାଯିବା ଘଟଣାକୁ ସେତେବେଳେ ସ୍ୱାଗତ କରାଯାଇଥିଲା । ତେବେ ଦେଶରେ ଆଉ କୋଭିଡ୍ ମହାମାରୀର ଆତଙ୍କ ନଥିବାବେଳେ କେନ୍ଦ୍ର ସରକାର କାହିଁକି ଯେ ପୁଣି ଜନଗଣନା କାର୍ଯ୍ୟକ୍ରମ ଆରମ୍ଭ କରୁନାହାନ୍ତି ସେଥିଘେନି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
ଆଶଙ୍କା କରାଯାଉଛି ଯେ ୨୦୨୪ର ଲୋକସଭା ନିର୍ବାଚନ ପରେ ଜନଗଣନା କାର୍ଯ୍ୟ ଆରମ୍ଭ କରାଯାଇପାରେ । ଜନସଂଖ୍ୟା ଆଧାରରେ ଆମ ଦେଶରେ ସରକାରୀ ଚାକିରି ଓ ଅନ୍ୟାନ୍ୟ ପ୍ରତିନିଧିମୂଳକ ସଂସ୍ଥାରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କ ଲାଗି ୨୨.୫ ପ୍ରତିଶତ ଆସନ ସଂରକ୍ଷଣ ବ୍ୟବସ୍ଥା ରହିଛି । ମୋଟ ସ୍ଥାନ ସଂରକ୍ଷଣକୁ ୫୦ପ୍ରତିଶତ ମଧ୍ୟରେ ସୀମିତ ରଖିବା ଲାଗି ସୁପ୍ରିମ୍କୋର୍ଟ ଇନ୍ଦ୍ରା ସାହାଣି ମାମଲାରେ ଦେଇଥିବା ରାୟ ଆଧାରରେ କେନ୍ଦ୍ର ସରକାର ପଛୁଆବର୍ଗଙ୍କ ଲାଗି ସଂରକ୍ଷଣ ୨୭ପ୍ରତିଶତରେ ସୀମିତ ରଖିବାକୁ ବାଧ୍ୟ ହୋଇଛନ୍ତି ।