ରାଜଧାନୀ ଦିଲ୍ଲୀ ସମେତ ଅନ୍ୟାନ୍ୟ ପ୍ରମୁଖ ସହର ଜଳବନ୍ଦୀ । ରାସ୍ତା ଉପରେ ଛୁଟୁଛି ନଦୀ ପରି ପାଣିର ସ୍ରୋତ । ଗତକାଲି ଦିଲ୍ଲୀରେ ହୋଇଥିବା ବର୍ଷା ଚଳିତ ବର୍ଷ ଦିଲ୍ଲୀରେ ହେବାକୁ ଥିବା ମୌସୁମୀଜନିତ ବର୍ଷାର ୧୫% ବୋଲି ଜଣାପଡ଼ିଥିବା ବେଳେ ଏହା ଗତ ୪୦ବର୍ଷର ରେକର୍ଡ ଭାଙ୍ଗିଛି। ପ୍ରବଳ ବର୍ଷା ହେତୁ ଦିଲ୍ଲୀରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇ ଯାଇଛି।
ଦିଲ୍ଲୀରେ ଶନିବାର ରେକର୍ଡ ୧୨୬ ଏମଏମ ବର୍ଷା ରେକର୍ଡ କରାଯାଇଛି। ବିଭିନ୍ନ ସ୍ଥାନରେ ବେକ ଯାଏ ପାଣି ଚାଲୁଥିବାରୁ ଜୀବନଯାତ୍ରା ଏକପ୍ରକାର ଠପ୍ ହୋଇ ପଡ଼ିଥିଲା। ଦିଲ୍ଲୀରେ ଚଳିତ ବର୍ଷ ହେବାକୁ ଥିବା ମୌସୁମୀଜନିତ ବର୍ଷାର ୧୫% କେବଳ ଗତକାଲି ୧୨ ଘଣ୍ଟାରେ ହୋଇ ଯାଇଛି। ଆଜି ସକାଳ ୮ଟା ମଧ୍ୟରେ ଦିଲ୍ଲୀରେ ୧୫୩ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଯାହାକି ଗତ ୪୦ ବର୍ଷ ମଧ୍ୟରେ ସର୍ବାଧିକ ବର୍ଷା । ଭୀଷଣ ବର୍ଷା ଯୋଗୁ ଦିଲ୍ଲୀର ବହୁ ବଜାର, ଅଣ୍ଡର ପାସ୍, ହସ୍ପିଟାଲ ପରିସର, ଖୋଲା ପଡ଼ିଆ ସମ୍ପୂର୍ଣ୍ଣ ଭାବେ ଜଳାର୍ଣ୍ଣବ ହୋଇ ଯାଇଛି। ଅତ୍ୟଧିକ ବର୍ଷା ଯୋଗୁ ରାଜଧାନୀର ଅଧିକାଂଶ ଜାଗା ଦୀର୍ଘ ସମୟ ପର୍ଯ୍ୟନ୍ତ ଅନ୍ଧାରରେ ବୁଡ଼ି ରହିଥିବା ବେଳେ ଇଣ୍ଟରନେଟ ସେବା ବି ପ୍ରଭାବିତ ହୋଇଛି।