ଭୁବନେଶ୍ୱର(ଏନଏନଏସ୍): ବାହାନଗା ରେଳ ଦୁର୍ଘଟଣାର ସତ ବଖାଣିବେ ଗିରଫ ହୋଇଥିବା ୩ ଅଭିଯୁକ୍ତ । ଏନେଇ ସେମାନଙ୍କୁ ୫ଦିନିଆ ରିମାଣ୍ଡରେ ନେଇଛି ସିବିଆଇ ଟିମ୍ । ଗିରଫ ତିନି ଅଭିଯୁକ୍ତ ହେଲେ ସିନିଅର ସେକସନ୍ ଇଞ୍ଜିନିୟର ଅରୁଣ କୁମାର ମହାନ୍ତ, ସେକସନ୍ ଇଞ୍ଜିନିୟର ମହମ୍ମଦ ଅମୀର ଖାନ ଓ ଟେକନିସିଆନ୍ ପପୁ କୁମାର । ଗତକାଲି ୩ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟରେ ହାଜର କରିଥିଲା କେନ୍ଦ୍ରୀୟ ତଦନ୍ତକାରୀ ଟିମ୍ । ଏହାପରେ ୫ ଦିନିଆ ରିମାଣ୍ଡ ଆବେଦନ କରାଯାଇଥିଲା ।
ଅଭିଯୁକ୍ତଙ୍କ ବିରୋଧରେ ଲାଗିଛି ଆଇପିସିର ଦଫା ୩୦୪ ଓ ୨୦୧ । ଉଦ୍ଦେଶ୍ୟ ନଥାଇ ହତ୍ୟା ଅଭିଯୋଗରେ ଆଇପିସିର ଦଫା ୩୦୪ ଓ ମିଥ୍ୟା ତଥ୍ୟ ଦେବା ଓ ପ୍ରମାଣ ଲୁଚାଇବା ଅଭିଯୋଗରେ ଲାଗିଛି ଦଫା ୨୦୧ । ଅଭିଯୁକ୍ତଙ୍କୁ ଅଧିକ ପଚରାଉଚରା ଓ ଟେକ୍ନୋ ଆନାଲିସିସ୍ ପାଇଁ ରିମାଣ୍ଡରେ ନେଇଛି ସିବିଆଇ । ଗତକାଲି ୩ ଜଣଙ୍କୁ ରିମାଣ୍ଡରେ ନେବା ପରେ ଭୁବନେଶ୍ୱର ଚନ୍ଦକା ଥାନାରେ ରଖଯାଇଛି ।