ଭୁବନେଶ୍ୱର(ଏନଏନଏସ୍): ରାଜଧାନୀରେ ଦିନକୁ ଦିନ ଡେଙ୍ଗୁ ସ୍ଥିତି ଜଟିଳ ହେବାରେ ଲାଗିଛି । ରାଜଧାନୀର ଆଇଆରସି ଭିଲେଜ, ସାଲିଆ ସାହି ଏବଂ ଓଲଡ ଟାଉନ ଚଳିତବର୍ଷର ନୂଆ ହଟସ୍ପଷ୍ଟ ପାଲଟିଛି। ଏନେଇ ବିଏମସି ପକ୍ଷରୁ ସୂଚନା ପ୍ରକାଶ ପାଇଛି। ଏନେଇ ଭୁବନେଶ୍ୱର ମେୟର୍ ସୁଲୋଚନା ଦାସ କହିଛନ୍ତି, ରାଜଧାନୀର ବିଭିନ୍ନ ସ୍ଥାନରେ ସଫେଇ କାର୍ୟ୍ୟକ୍ରମ ଜାରି ରହିଛି। ଆଜି ଏଜି ଛକ ଆଖପାଖ ଅଞ୍ଚଳରେ ବିଏମସି ଟିମ ସଫେଇ କରିଛି।
ରାଜଧାନୀରେ କିଛି କିଛି ସ୍ଥାନରେ ଡେଙ୍ଗୁ ବ୍ୟାପିଥିବା ଖବର ମିଳିବା ପରେ ଉକ୍ତ ଅଞ୍ଚଳରେ ଡେଙ୍ଗୁ କିପରି ଅଧିକ ନ ବ୍ୟାପିବ ସେନେଇ ଫଗିଂ କରାଯାଉଛି। ଏଥିସହ ମଶା ଔଷଧ, ବ୍ଳିଚିଂ ପକାଯାଉଛି। ବର୍ତ୍ତମାନ ଭୁବନେଶ୍ୱରରେ ଦୁଇଟି ସ୍ଥାନରେ ଡେଙ୍ଗୁ ରକ୍ତ ପରୀକ୍ଷା କରାଯାଉଛି। ଏହା ବ୍ୟତୀତ ୨୨ଟି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପରୀକ୍ଷା ପାଇଁ ଲୋକେ ରକ୍ତ ଦେଇପାରିବେ। ଏଣେ ମହାନଗର ଅତିରିକ୍ତ କମିସନର ସୂର୍ୟ୍ୟବଂଶୀ ମୟୁର ବିକାଶ କହିଛନ୍ତି, ରାଜଧାନୀ ବାସିନ୍ଦା ସତର୍କ ରହିବା ସହ ନିଜ ଅଞ୍ଚଳ ସଫା ରଖନ୍ତୁ ।