ଏନଏନଏସ୍: ଆନ୍ଧ୍ରପ୍ରଦେଶର ଆନାକାପଲ୍ଲୀ ଅଞ୍ଚଳରେ ଥିବା ଏକ ଫାର୍ମା ଫ୍ୟାକ୍ଟ୍ରିରେ ଭୟାବହ ଅଗ୍ନିକାଣ୍ଡ। ଅଗ୍ନିକାଣ୍ଡରେ ୫ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୬ଜଣ କର୍ମଚାରୀ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ସଙ୍କଟାପର୍ଣ୍ଣ ରହିଛି । ୧୫ଜଣ କର୍ମଚାରୀଙ୍କୁ ଉଦ୍ଧାର କରାଯାଇଥିବା ସୂଚନା ମିଳିଛି । ଅଧିକାଂଶ କର୍ମଚାରୀ ସୁରକ୍ଷିତଭାବେ ଉଦ୍ଧାର ହୋଇଛନ୍ତି। ଆହତଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ଅନ୍ୟପଟେ ନିଆଁ ଲିଭାଇବା ପାଇଁ ଅଗ୍ନିଶମ କର୍ମଚାରୀମାନେ କାର୍ୟ୍ୟରେ ନିୟୋଜିତ ରହିଛନ୍ତି ।
ରିପୋର୍ଟ ଅନୁଯାୟୀ ଅଚ୍ୟୁତାପୁର ଇଣ୍ଡଷ୍ଟ୍ରିଆଲ ସ୍ପେଶାଲ ଇକୋନୋମିକ ଜୋନରେ ଅବସ୍ଥିତ ସାହିଥୀ ଫାର୍ମାରେ ଅଗ୍ନିକାଣ୍ଡ ଘଟିଛି । କମ୍ପାନୀର ଜଣେ କର୍ମଚାରୀଙ୍କ କହିବାନୁଯାୟୀ,ରିଆକ୍ଟରରେ ବିସ୍ଫୋରଣ କାରଣରୁ ପ୍ରଥମେ ଏକ ଭୟଙ୍କର ଶବ୍ଦ ହୋଇଥିଲା । ପରେ ବିସ୍ଫୋରଣର ନିଆଁ ଚାରିଆଡେ ବ୍ୟାପି ଯାଇଥିଲା । ନିଆଁ ଏତେ ଭୟଙ୍କର ଥିଲା ଯେ ୫ କିଲୋମିଟର ଦୂରରୁ ମଧ୍ୟ ଦେଖାଯାଉଥିଲା । ତେବେ ଏହି ଘଟଣାରେ ପୋଲିସ ଏକ ମାମଲା ରୁଜୁ କରି ଘଟଣାଟି କିପରି ଘଟିଲା ଏବଂ ପରିଚାଳନା ସଂସ୍ଥା ପକ୍ଷରୁ କୌଣସି ଅବହେଳା କରାଯାଇଛି କି ନାହିଁ ତାହାର ତଦନ୍ତ ଆରମ୍ଭ କରିଛି ।