ଭୁବନେଶ୍ୱର : ସରକାରୀ କର୍ମଚାରୀ ଭିଜିଲାନ୍ସ ଜାଲରେ ପଡୁଛନ୍ତି ସବୁଠାରୁ ଅଧିକ ହେଉଛନ୍ତି ତୃତୀୟ ଶ୍ରେଣୀ ପାହ୍ୟାର ।
୨୦୧୫ ରୁ ଚଳିତବର୍ଷର ଫେବୃୟାରୀ ଶେଷ ସୁଦ୍ଧା ଭିଜିଲାନ୍ସ ଜାଲରେ ମୋଟ୍ ୧୭୬୮ଜଣ ପଡିଥିବାବେଳେ ଏମାନଙ୍କ ମଧ୍ୟରୁ ସର୍ବାଧିକ ୧୧୭୧ ଜଣ ହେଉଛନ୍ତି ତୃତୀୟ ଶ୍ରେଣୀ କର୍ମଚାରୀ । ସେହିଭଳି ଏହି ସମୟ ମଧ୍ୟରେ ୨୨୪ଜଣ ପ୍ରଥମଶ୍ରେଣୀ ପାହ୍ୟାର କର୍ମଚାରୀ ଭିଜିଲାନ୍ସ ହାବୁଡରେ ପଡିଥିବାବେଳେ ୨୧୯ଜଣ ଦ୍ୱିତୀୟ ଶ୍ରେଣୀ, ୬୫ଜଣ ଚତୁର୍ଥଶ୍ରେଣୀ ଏବଂ ୮୯ଜଣ ଅନ୍ୟାନ୍ୟ ବର୍ଗର ସରକାରୀ କର୍ମଚାରୀଙ୍କୁ ଭିଜିଲାନ୍ସ ଧରିଛି ।
ତେବେ ୨୦୨୨ ମସିହାରେ ସବୁଠାରୁ ଅଧିକ ୩୬ଜଣ ପ୍ରଥମଶ୍ରେଣୀ ପାହ୍ୟାର ଅଧିକାରୀ ଭିଜିଲାନ୍ସ ଜାଲରେ ପଡିଥିବାବେଳେ ଏହିବର୍ଷ ୧୦୬ଜଣ ତୃତୀୟଶ୍ରେଣୀ ପାହ୍ୟାର କର୍ମଚାରୀ ଧରାପଡିଥିଲେ । ୨୦୧୫ ମସିହାରେ କିନ୍ତୁ ସର୍ବାଧିକ ୧୯୫ଜଣ ତୃତୀୟଶ୍ରେଣୀ ପାହ୍ୟାର କର୍ମଚାରୀ ଭିଜିଲାନ୍ସ ହାତରେ ଧରାପଡିଥିଲେ ।
୨୦୧୮ରୁ ଚଳିତବର୍ଷ ଫେବୃୟାରୀ ଶେଷ ସୁଦ୍ଧା ଅଦାଲତଙ୍କ ଆଦେଶ ଅନୁସାରେ ଜଣେ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ୬ଲକ୍ଷରୁ ଅଧିକ ଟଙ୍କାର ମୂଲ୍ୟର ଆୟବର୍ହିଭୂତ ସମ୍ପତି ବାଜ୍ୟାପ୍ତି କରାଯାଇଛି । ସେହିଭଳି ଏହି ସମୟ ମଧ୍ୟରେ ୩୪୧ଟି ମାମଲାରେ ଅଧିକାରୀ ଓ କର୍ମଚାରୀମାନେ ଦୋଷୀ ସାବ୍ୟସ୍ତ ହୋଇଥିବାବେଳେ ୪୮୧ ଜଣ ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି ।