ଏନଏନଏସ୍: ପତ୍ନୀଙ୍କୁ ହତ୍ୟା ମାମଲାରେ ପୂର୍ବତନ ଗୁଣପୁର ବିଧାୟକ ରାମମୂର୍ତ୍ତି ଗମାଙ୍ଗକୁ ଆଜୀବନ ସଜା। ଗର୍ଭବତୀ ପତ୍ନୀକୁ ହତ୍ୟା ଅଭିଯୋଗରେ ଦଫା ୩୦୨ରେ ଆଜୀବନ ସଜା ସହ ୫୦ ହଜାର ଟଙ୍କା ଜରିମାନା ମଧ୍ୟ କରାଯାଇଛି । ଜରିମାନା ଅନାଦେୟ ହେଲେ ୬ ମାସ ଅଧିକ ସଜା ନେଇ ନିର୍ଦ୍ଦେଶ ରହିଛି। ପ୍ରମାଣ ନଷ୍ଟ ଅଭିଯୋଗରେ ୩ ବର୍ଷ ସଜା ସହ ୧୦ ହଜାର ଫାଇନ ମଧ୍ୟ ହୋଇଛି। ଏହି ଜରିମାନା ଅନାଦେୟ ହେଲେ ପୁଣି ୩ ମାସ ସଜା ନିର୍ଦ୍ଦେଶ ରହିଛି।
ପୂର୍ବରୁ ତାଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଥିଲା। ଗର୍ଭବତୀ ପତ୍ନୀକୁ ହତ୍ୟା ମାମଲାରେ ଆଜୀବନ ସଜା ହୋଇଛି। ସୂଚନାଯୋଗ୍ୟ ୧୯୯୫ ମସିହାରେ ଗଣେଶ ଚତୁର୍ଥୀ ଦିନ ୟୁନିଟ-୪ ଗଖଇ କଲୋନୀ କ୍ୱାର୍ଟର ବାଥରୁମରୁ ଅର୍ଦ୍ଧ ଦଗ୍ଧ ଅବସ୍ଥାରେ ଶଶିରେଖାଙ୍କୁ ଉଦ୍ଧାର କରାଯାଇଥିଲା। ପରେ ତାଙ୍କୁ ତୁରନ୍ତ କ୍ୟାପିଟାଲ ହସପିଟାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ଏନେଇ ପ୍ରଥମେ ଖାରବେଳନଗର ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଥିଲା । ପରେ ଶବ ବ୍ୟବଛେଦ ରିପୋର୍ଟ ଆସିବା ପରେ ହତ୍ୟା ମାମଲା ରୁଜୁ କରି ରାମମୂର୍ତ୍ତି ଗମାଙ୍ଗଙ୍କୁ ଗିରଫ କରି ଝାରପଡା ଜେଲକୁ ପଠାଇ ଦିଆଯାଇଥିଲା। ଏହାପରେ ହାଇକୋର୍ଟରୁ ଜାମିନ ପାଇ ଜେଲରୁ ମୁକୁଳିଥିଲେ ରାମମୂର୍ତ୍ତି।