ଭୁବନେଶ୍ୱର(ଏନଏନଏସ୍): ଝଲସୁଛି ଏକାମ୍ର କ୍ଷେତ୍ର। ଗତକାଲିଠାରୁ ଆରମ୍ଭ ହୋଇଛି ଏକାମ୍ର ପ୍ରକଳ୍ପର ଭୂମି ପୂଜନ ଓ ଶିଳାନ୍ୟାସ ଉତ୍ସବ। ଚାଲିଛି ଶ୍ରୀଲିଙ୍ଗରାଜ ମନ୍ଦିର ପାରିପାର୍ଶ୍ୱିକ ଉନ୍ନତିକରଣ ପାଇଁ ପ୍ରସ୍ତାବିତ ଏକାମ୍ର କ୍ଷେତ୍ର ପ୍ରକଳ୍ପର ଶିଳାନ୍ୟାସ ମହୋତ୍ସବ। ବ୍ରାହ୍ମଣ ପଣ୍ଡିତଙ୍କ ମନ୍ତ୍ରପାଠ, ନାମ ସଂକୀର୍ତ୍ତନ ସାଙ୍ଗକୁ ଓମ୍ ନମଃ ଶିବାୟ ଧ୍ୱନିରେ କମ୍ପୁଛି ଗଗନ ପବନ । ପ୍ରଥମ ଦିନରେ ଦେବୀ ପାଦହରା ପୁଷ୍କରିଣୀରେ ଯଜ୍ଞନୀତି ହୋଇଥିଲା । ଆଜି ହରିହରାତ୍ମକ ଯଜ୍ଞ ଆରମ୍ଭ ହେବ ।
ଆଧ୍ୟାତ୍ମିକ ପରିବେଶରେ ଯଜ୍ଞସ୍ଥଳୀରେ ପୂଜା ଓ କର୍ମକାଣ୍ଡ କରାଯିବ । ଆଜି ଯଜ୍ଞ ଓ ହୋମ କାର୍ୟ୍ୟରେ ଯୋଗ ଦେବେ ଗଜପତି ମହାରାଜ ଦିବ୍ୟସିଂହ ଦେବ । ଆସନ୍ତାକାଲି କରାଯିବ ଶିଳା ସୋଧନ ଓ ଶିଳା ପ୍ରତିଷ୍ଠା । ପଦ୍ମପାଖୁଡ଼ା ପଥରରେ ଶିଳାନ୍ୟାସ ହେବ । ଏହି ଭବ୍ୟ ମହୋତ୍ସବରେ ରାଜ୍ୟ ବାହାରର ୨୩ ଜଣ ପଣ୍ଡିତ ସାମିଲ ହେବେ । ଆସନ୍ତାକାଲି ସକାଳ ସାଢ଼େ ୧୧ଟାରେ ପୂର୍ଣ୍ଣାହୂତି କାର୍ୟ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେବାର କାର୍ୟ୍ୟକ୍ରମ ରହିଛି ।