ପୁରୀ(ଏନଏନଏସ୍): ମହାପ୍ରଭୁଙ୍କ ବାହୁଡା ପାଇଁ ୩ ରଥ ପ୍ରସ୍ତୁତି । ଦକ୍ଷିଣ ମୋଡ ହେଲା ୩ ରଥ । ଗତକାଲି ଶ୍ରୀଗୁଣ୍ଡିଚା ମନ୍ଦିରର ନାକଚଣା ଦ୍ୱାରରେ ୨ଟି ରଥ ଲାଗିଥିବା ବେଳେ ଆଜି ନନ୍ଦିଘୋଷ ରଥର ଦକ୍ଷିଣ ମୋଡ କରଯାଇ ନାକଚଣା ଦ୍ୱାର ସମ୍ମୁଖରେ ରଖାଯାଇଛି । ଗତକାଲି ତିନିବାଡର ପୂଜାପଣ୍ଡା ସାମନ୍ତ ମହାପ୍ରଭୁଙ୍କ ଆଜ୍ଞାମାଳ ଧରି ରଥ ନିକଟକୁ ଆସିବା ପରେ ରଥଟଣା ଆରମ୍ଭ ହୋଇଥିଲା ।
ପ୍ରଥମେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ଦକ୍ଷିଣ ମୋଡ଼ ହୋଇଥିଲା । ପରେ ବଡ଼ ଠାକୁର ବଳଭଦ୍ରଙ୍କ ତାଳଧ୍ୱଜର ଦକ୍ଷିଣ ମୋଡ଼ କରାଯାଇଥିଲା । ବର୍ଷାରେ ଭିଜି ରଥକୁ ଟାଣି ନେଇଥିଲେ ପୋଲିସ କର୍ମଚାରୀ। ସେପଟେ ବାହୁଡା ଯାତ୍ରା ପାଇଁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି । ଆସନ୍ତା କାଲି ନବମୀ ଦର୍ଶନରେ ସନ୍ଧ୍ୟା ୫ଟା ଯାଏ ଆଡପ ଦର୍ଶନ କରି ପାରିବେ ଭକ୍ତ । ଆସନ୍ତାକାଲି ଶେଷ ଆଡପ ଦର୍ଶନ ଥିବାରୁ ସକାଳ ୭ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଦର୍ଶନ ଖୋଲା ରହିବ । ଏହାପରେ ଦର୍ଶନ ବନ୍ଦ କରି ବାହୁଡା ପାଇଁ ନୀତି ଚାଲିବ ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଜାରି କରାଯାଇଛି ।