ପୁରୀ(ଏନଏନଏସ୍): ୧୦୮ ଗରା ଜଳ ସ୍ନାନ କରି ଜ୍ୱରରେ ପୀଡ଼ିତ ମହାପ୍ରଭୁ। ଏନେଇ ମହାପ୍ରଭୁଙ୍କ ସୁସ୍ଥତା ପାଇଁ ଗୁପ୍ତ ସେବାରେ ଲାଗିପଡ଼ିଛନ୍ତି ଦଇତାପତି ସେବକ। ଆଜି ଦଶମୀ ତିଥିରେ ଚତୁର୍ଦ୍ଧା ବିଗ୍ରହଙ୍କୁ ଲାଗି ହେବ ଦଶମୂଳ ମୋଦକ। ଶ୍ରୀମନ୍ଦିର ରାଜ ବୈଦ୍ୟଙ୍କ ଦ୍ୱାରା ଆୟୁର୍ବେଦ ଚେରମୂଳିରେ ପ୍ରସ୍ତୁତ ଦଶମୂଳ ସେବନ ପରେ ହିଁ ଜ୍ୱରରେ ପୀଡ଼ିତ ଥିବା ମହାପ୍ରଭୁ ସୁସ୍ଥତା ଅନୁଭବ କରିଥାନ୍ତି।
ଅତ୍ୟନ୍ତ ନିଷ୍ଠା ଓ ପବିତ୍ରତାର ସହ ରାଜବୈଦ୍ୟଙ୍କ ଘରେ ଏହି ଦଶମୂଳ ମୋଦକ ପ୍ରସ୍ତୁତ ହୋଇଥାଏ। ଆଜି ଅପରାହ୍ନରେ ଏହି ଦଶମୂଳ ମୋଦକକୁ ଶ୍ରୀମନ୍ଦିରକୁ ଅଣାଯିବ। ଫଣଫଣା, କୃଷ୍ଣପର୍ଣ୍ଣି, କୃଷ୍ଣଚୁଡା, ଲବଙ୍ଗ, ଖୁଆ, ଆଦି ବିଭିନ୍ନ ଦ୍ରବ୍ୟକୁ ମିଶାଯାଇ ଏହି ଔଷଧ ପ୍ରସ୍ତୁତ କରାଯାଇଥାଏ। ପୂର୍ବରୁ ମହାପ୍ରଭୁଙ୍କୁ ଫୁଲୁରି ତେଲ ଲାଗି ଏବଂ ଓଷ ଲାଗି କରାଯାଇଥିବା ବେଳେ ଆଜି ଦଶମୀ ତିଥିରେ ଶ୍ରୀଜିଉଙ୍କ ଚକା ବିଜେ ନୀତି ହେବା ସହ ଦଶମୂଳ ମୋଦକ ଲାଗି ହେବ। ଦଇତାପତି ସେବକ ମାନେ ଶ୍ରୀଜିଉଙ୍କୁ ଚକାବିଜେ କରାଇବା ପରେ ଶ୍ରୀଜିଉ ଆଉଟିକେ ସୁସ୍ଥ ଅନୁଭବ କରିବେ।