ଭୁବନେଶ୍ୱର(ଏନଏନଏସ୍): ଆଜି ପୁଣି ଥରେ ଓଡ଼ିଶା ଆସୁଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ପଶ୍ଚିମବଙ୍ଗର ଆହତ ଯାତ୍ରୀଙ୍କ ସମ୍ପର୍କରେ ବିସ୍ତୃତ ସୂଚନା ନେବାକୁ ସେ ଓଡ଼ିଶା ଆସୁଛନ୍ତି। ଦିନ ୨ଟାରେ ଭୁବନେଶ୍ୱରରେ ପହଂଚିବା ପରେ ସେ ଏସସିବି ଯିବେ। ମମତା ବାନାର୍ଜୀଙ୍କ ସହ ପଶ୍ଚିମବଙ୍ଗର ଦୁଇ ମନ୍ତ୍ରୀ ମଧ୍ୟ ଓଡ଼ିଶା ଆସୁଛନ୍ତି। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।
ସୂଚନା ଅନୁଯାୟୀ ମମତା ବାନାର୍ଜୀ ପ୍ରଥମେ ରେଭେନ୍ସା ବିଶ୍ୱବିଦ୍ୟାଳୟ ପଡ଼ିଆରେ ହୋଇଥିବା ହେଲିପ୍ୟାଡରେ ଓହ୍ଲାଇବା ପରେ ସେଠାରୁ କାରରେ ଏସସିବି ଯିବେ । ସେଠାରେ ଚିକିତ୍ସାଧୀନ ୫୮ ଯାତ୍ରୀଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିବେ । ପରେ ଡାକ୍ତରୀ ଟିମ୍, ଏସସିବି ଅଧୀକ୍ଷକ ଓ ଅନ୍ୟ କର୍ତୃପକ୍ଷଙ୍କ ସହ ଆଲୋଚନା କରିବେ । ଏହାପରେ ମମତା ବାନାର୍ଜୀ ଭୁବନେଶ୍ୱର ଆସିବେ । ଭୁବନେଶ୍ୱରରେ ପଶ୍ଚିମବଙ୍ଗର କିଛି ମୃତକଙ୍କ ପରିବାରକୁ ଭେଟିବା ସହ ମୃତଦେହ ନେବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ହୋଇଥିବା ବ୍ୟବସ୍ଥାର ଅନୁଧ୍ୟାନ କରିବେ ।