ଏନଏନଏସ୍: ମରାଠୀ ଏବଂ ହିନ୍ଦୀ ଫିଲ୍ମ ଇଣ୍ଡଷ୍ଟ୍ରୀର ଲୋକପ୍ରିୟ ଅଭିନେତ୍ରୀ ସୁଲୋଚନା ଲାଟକରଙ୍କର ୯୪ ବର୍ଷରେ ପରଲୋକ ହୋଇଛି । ମୁମ୍ବାଇ ସ୍ଥିତ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଛି। ଗତ କିଛିଦିନ ତଳେ ଗୁରୁତର ହୋଇ ସୁଲୋଚନା ହସପିଟାଲରେ ଭର୍ତ୍ତି ହୋଇଥିଲେ । ତେବେ ଗତକାଲି ରାତିରେ ତାଙ୍କର ଦେହାନ୍ତ ହୋଇଛି । ଆଜି ଦାଦର ଶଶ୍ମାନରେ ସୁଲୋଚନାଙ୍କ ଅନ୍ତିମ ସଂସ୍କାର ହୋଇଛି। ଏହି ଦୁଃଖଦ ଖବର ସୁଲୋଚନାଙ୍କ ଝିଅ କାଞ୍ଚନ ଜଣାଇଛନ୍ତି ।
ସୁଲୋଚନାଙ୍କ ମୃତ୍ୟୁରେ ପ୍ରଧାନମନ୍ତ୍ରୀ ମୋଦି ଶ୍ରଦ୍ଧାଞ୍ଜଳି ଦେଇ ଲେଖିଛନ୍ତି, ଆପଣ ଚାଲିଯିବା ପରେ ଭାରତୀୟ ସିନେମାରେ ଏକ ସ୍ଥାନ ଖାଲି ପଡିବ । ଆପଣଙ୍କ ଅଭିନୟ ସବୁବେଳେ ଆମ ସଂସ୍କୃତିକୁ ସମୃଦ୍ଧ କରିଛି । ଆପଣଙ୍କ କାମ ସବୁବେଳେ ଝଲସିବ । ପରିବାରକୁ ସ୍ୱାନ୍ତନା ଦିଅନ୍ତୁ। ଓମ୍ ଶାନ୍ତି ।
ସୂଚନାଯୋଗ୍ୟ, ସୁଲୋଚନା ହସପିଟାଲରେ ଚିକିତ୍ସିତ ହେଉଥିବା ବେଳେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ସମସ୍ତ ମେଡିକାଲ ଖର୍ଚ୍ଚ ବହନ କରିଥିଲେ । ଏଥିସହ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ତୁରନ୍ତ ଚିକିତ୍ସା ପାଇଁ ସୁଲୋଚନାଙ୍କ ପରିବାର ଲୋକଙ୍କୁ ୩ ଲକ୍ଷ ଟଙ୍କା ପ୍ରଦାନ କରାଯାଇଥିଲା ।
ସୁଲୋଚନା ହିନ୍ଦୀରେ ୨୫୦ ଓ ମରାଠୀରେ ୫୦ରୁ ଅଧିକ ଫିଲ୍ମରେ କାମ କରିଛନ୍ତି। ସେ ଅଧିକାଂଶ ବଲିଉଡ ଫିଲ୍ମରେ ମା’ ଭୂମିକାରେ ନଜର ଆସିଥିଲେ। ନିଜର ଅଭିନୟ ପାଇଁ ତାଙ୍କୁ ୧୯୯୯ରେ ପଦ୍ମଶ୍ରୀ ଓ ୨୦୦୯ରେ ମହାରାଷ୍ଟ୍ର ଭୂଷଣ ସମ୍ମାନରେ ସମ୍ମାନିତ କରାଯାଇଥିଲା।