ଏନଏନଏସ୍: ବାହାନଗା ରେଳ ଦୁର୍ଘଟଣା ପରେ କୋଲକାତା ଯିବା ପାଇଁ ଅସୁବିଧାର ସାମ୍ନା କରୁଛନ୍ତି ଅନେକ ଯାତ୍ରୀ । ଏନେଇ ରେଳଯାତ୍ରା ପ୍ରଭାବିତ ହେବା ପରେ ରାଜ୍ୟ ସରକାର ପୁରୀ, ଭୁବନେଶ୍ବର ଓ କଟକରୁ ଦୈନିକ ମାଗଣା ବସ୍ ସେବା ଆରମ୍ଭ କରିଛନ୍ତି। ସୂଚନା ଅନୁଯାୟୀ ଗତକାଲି ରାତି ସାଢେ ୧୧ଟା ସୁଦ୍ଧା ପୁରୀରୁ ୨୦ଟି ବସ୍, ଭୁବନେଶ୍ୱରରୁ ୨୩ ଏବଂ କଟକରୁ ୧୬ଟି ବସ୍ ଚଳାଚଳ ଆରମ୍ଭ କରିଛନ୍ତି । ସମୁଦାୟ ୫୯ଟି ବସ୍ ରେ ଯାତ୍ରୀମାନେ ମାଗଣାରେ କୋଲକାତା ଅଭିମୁଖେ ଯାତ୍ରା କରିଛନ୍ତି।
ସୂଚନାଯୋଗ୍ୟ, ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ବଡ଼ ନିଷ୍ପତ୍ତି ନେଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଅନୁଯାୟୀ ପୁରୀ, ଭୁବନେଶ୍ୱର ଓ କଟକରୁ କୋଲକତା ଯିବା ପାଇଁ ବସ୍ରେ ଭଡ଼ା ପଡ଼ିବ ନାହିଁ। ଲୋକଙ୍କୁ ମାଗଣା ବସ୍ ସେବା ଯୋଗାଇ ଦିଆଯିବ। ବାଲେଶ୍ୱର ରୁଟ୍ରେ ରେଳ ଚଳାଚଳ ସ୍ୱାଭାବିକ ହେବା ପର୍ୟ୍ୟନ୍ତ ଏହି ସୁବିଧା ଯାତ୍ରୀମାନଙ୍କ ପାଇଁ ଜାରି ରହିବ ବୋଲି ସ୍ପଷ୍ଟ କରାଯାଇଛି।ଅନ୍ୟପଟେ ବସ୍ ଭଡା ବାବଦରେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ଏହି ଖର୍ଚ୍ଚ ଭରଣା କରାଯିବାକୁ ନିଷ୍ପତ୍ତି ହୋଇଛି।