ଭୁବନେଶ୍ୱର : ମହାଶିବ ରାତ୍ରି ଆସନ୍ତା ୧୧ ତାରିଖରେ ପାଳିତ ହେବ । ଏଥର ମହାଶିବ ରାତ୍ରି ଲିଙ୍ଗରାଜ ମନ୍ଦିରରେ କରୋନା କଟକଣା ମଧ୍ୟରେ ପାଳିତ ହେବ । ଆଜିଠୁ ମନ୍ଦିରର ସେବାୟତ ଓ ସେଠାରେ ନିୟୋଜିତ ହେବାକୁ ଥିବା ପୁଲିସ୍ କର୍ମଚାରୀଙ୍କ କୋଭିଡ ଟେଷ୍ଟ କରାଯିବ । ଏଥି ନିମନ୍ତେ ଶିବରାତ୍ରୀ ସମୟରେ ଲିଙ୍ଗରାଜ ଓ କପିଳନାଥଙ୍କ ଭେଟଘାଟ ହେବାର ପରମ୍ପରା ରହିଛି । ତେବେ ଏଥିରେ ବାରମ୍ବାର ବ୍ୟତିକ୍ରମ ଘଟୁଛି ବୋଲି ଲିଖିତ ଅଭିଯୋଗ କରିଛି ବ୍ରାହ୍ମଣ ନିଯୋଗ। ଗତକାଲି ମନ୍ଦିର ପ୍ରଶାସନ ପକ୍ଷରୁ ଆୟୋଜିତ ସମନ୍ୱୟ ବୈଠକରେ ଏନେଇ ଆଲୋଚନା କରାଯାଇଛି । ଦେବୋତ୍ତର କମିଶନରଙ୍କ ସହ ମନ୍ଦିର ପ୍ରଶାସନ ଓ ବିଏମସିର ଅଧିକାରୀସ୍ତରୀୟ ଟିମ୍ ଆଲୋଚନା କରି ସମସ୍ୟାର ସମାଧାନ ପାଇଁ ଉଦ୍ୟମ କରାଯିବ ବୋଲି କୁହାଯାଇଛି । ଆଲୋଚନା ମାଧ୍ୟମରେ ସମସ୍ୟାର ସମାଧାନ ହେବ ଓ ସୁରୁଖୁରୁରେ ଲିଙ୍ଗରାଜଙ୍କ ମହାଶିବରାତ୍ରି ପାଳନ ହେବ ବୋଲି ଆଶା ରଖିଛନ୍ତି ବିଏମସି ଅତିରିକ୍ତ କମିଶନର ଅବନିକାନ୍ତ ପଟ୍ଟନାୟକ । ମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ମନ୍ଦିରର କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରସନ୍ନ କୁମାର ଦାଶ, ବିଏମସି ଅତିରିକ୍ତ କମିଶନର ଅବନିକାନ୍ତ ପଟ୍ଟନାୟକ, ଅତିରିକ୍ତ ଜିଲ୍ଲାପାଳ ପ୍ରଫୁଲ୍ଲ କୁମାର ସ୍ୱାଇଁଙ୍କ ସମେତ ବିଭିନ୍ନ ନିଯୋଗର କର୍ମକର୍ତ୍ତା ଓ ସେବାୟତ ଉପସ୍ଥିତ ଥିଲେ ।