ପୁରୀ(ଏନଏନଏସ୍): ଆସନ୍ତା ଜୁନ୍ ୪ ତାରିଖରେ ମହାପ୍ରଭୁଙ୍କ ସ୍ନାନପୂର୍ଣ୍ଣିମା । ଏନେଇ ନୀତି ସମ୍ପାଦନ କରିବା ପାଇଁ ଜୁନ୍ ୨ ତାରିଖରେ ଶ୍ରୀମନ୍ଦିରରେ ପ୍ରବେଶ କରିବେ ଦଇତାପତି ସେବକ । ମହାପ୍ରଭୁଙ୍କ ଅନବସର ଯାତ୍ରା ଠାରୁ ଆରମ୍ଭ କରି ରଥଯାତ୍ରା ଓ ନୀଳାଦ୍ରି ବିଜେ ପର୍ୟ୍ୟନ୍ତ ଦଇତାପତି ସେବକ, ପତି ମହାପାତ୍ର ଓ ସୁଦୁ ସୁଆର ସେବକମାନଙ୍କର ପ୍ରମୁଖ ଭୂମିକା ରହିଥାଏ।
ମହାପ୍ରଭୁଙ୍କ ସ୍ନାନଯାତ୍ରାରେ ବାହୁଟ କଣ୍ଟ ଓ ସେନାପଟା ଲାଗି ଆଦି ନୀତି ସମ୍ପାଦନ କରିବେ ଦଇତାପତି ସେବକ। ଚଳିତବର୍ଷ ଦଇତାପତି ସେବକ ମାନେ କିପରି ସମସ୍ତ ସେବା ଶାନ୍ତି ଶୃଙ୍ଖଳା ସହ ନିର୍ବାହ କରିବେ ସେଥିପାଇଁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧକ୍ଷତାରେ ଦଇତାପତି ନିଯୋଗଙ୍କ ସହ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି।
ଶ୍ରୀମନ୍ଦିର କାର୍ୟ୍ୟଳୟ ପରିସରରେ ଅନୁଷ୍ଠିତ ବୈଠକରେ ଜିଲ୍ଲାପାଳ ସମର୍ଥ ବର୍ମା, ଦଇତାପତି ନିଯୋଗ ର ସମ୍ପାଦକ ରାମକୃଷ୍ଣ ଦାସ ମହାପାତ୍ର ଓ ଦଇତାପତି ନିଯୋଗ ସଦସ୍ୟ ପ୍ରମୁଖ ଉପସ୍ଥିତ ଥିଲେ। ସ୍ନାନ ପୂର୍ଣ୍ଣିମାରେ କିପରି ଭକ୍ତ ଓ ଶ୍ରଦ୍ଧାଳୁ ସୁରୁଖୁରେ ମହାପ୍ରଭୁଙ୍କ ହାତୀବେଶ ଦର୍ଶନ କରିବେ ସେଥିପାଇଁ ସମସ୍ତ ସହଯୋଗ ରହିବ ବୋଲି ଦଇତାପତି ନିଯୋଗ ପକ୍ଷରୁ କୁହାଯାଇଛି।