ପ୍ରାୟ ୨ ସପ୍ତାହ ହେବ ନିଆଁ ଘେରରେ ଫସି ରହିଛି ଶିମିଳିପାଳ ଜାତୀୟ ଉଦ୍ୟାନ। ଯେଉଁ ଅନୁପାତରେ ନିଆଁ ଲିଭୁଛି ତା’ଠୁ ଅଧିକ ବେଗରେ ପୁଣି ନିଆଁ ବ୍ୟାପୁଛି। ଏହି ବିପତ୍ତିର ଅନ୍ତ ଘଟିବା ନାଁ ଧରୁନି । ବିଶ୍ଵପ୍ରସିଦ୍ଧ ଶିମିଳିପାଳ ଜୈବମଣ୍ଡଳ ଏବେ ସଙ୍କଟରେ । ଆଜିକୁ ୧୦ଦିନରୁ ଉର୍ଦ୍ଧ୍ଵ ହେଲାଣି ନିଆଁ ଘେରରରେ ବିଭିନ୍ନ ଅଞ୍ଚଳ । ପ୍ରଥମେ ନିଆଁ ପାଦଦେଶରେ ଲାଗିଥିବା ଦେଖିବାକୁ ମିଳିଥିଲା । କିନ୍ତୁ, ବର୍ତ୍ତମାନ ଆଭ୍ୟନ୍ତରୀଣ ଅଞ୍ଚଳ ମଧ୍ୟ ହୁ-ହୁ-ହୋଇ ଅହରହ ଜଳିଚାଲିଛି । ବନବିଭାଗର ୧୫ ଶହ କର୍ମଚାରୀଙ୍କ ସହ ଅତ୍ୟାଧୁନିକ ନିଆଲିଭା ମେସିନ ସବୁକିଛି ଫେଲ ମାରିଛି । ପ୍ରତିଦିନ ଏହି ନିଆଁ ଅଧିକ ସ୍ଥାନକୁ ବ୍ୟାପୁଥିବା ଦେଖିବାକୁ ମିଳିଛି । ଅନେକ ସ୍ଥାନରେ ବହୁ ମୁଲ୍ୟବାନ ଗଛପତ୍ର ପୋଡି ପାଉଁଶ ହୋଇଗଲାଣି । କିଛିଦିନ ଧରି ବନବିଭାଗ ଦ୍ବାରା ନିଆଁ ନିୟନ୍ତ୍ରଣ ନହେବା ଯୋଗୁଁ ଅଗ୍ନିଶମ ବିଭାଗ, ପୋଲିସ ବିଭାଗ ଓ ସ୍ବେଚ୍ଛାସେବୀ ସଂଗଠନ ମାନେ ନିଆଁଲିଭା କାର୍ଯ୍ୟରେ ଲାଗିପଡିଛନ୍ତି । ଶିମିଳିପାଳରେ ନିଆଁ ଲାଗିଥିବା କଥା ପ୍ରଥମେ ମୟୂରଭଞ୍ଜ ରାଜପରିବାର ପକ୍ଷରୁ ପଦାରକୁ ବାହାରିଥିଲା । ଆଉ ଏବେ ରାଜପରିବାରର ମହାରାଣୀ ଓ ରାଜଜେମା ପ୍ରତିଦିନ ଶିମିଳିପାଳ ଜୈବମଣ୍ଡଳର ପାଖାପାଖି ଗାଁ ଗୁଡିକୁ ଯାଇ ଲୋକମାନଙ୍କୁ ନେଇ ନିଜେ ମଧ୍ୟ ନିଆଁ ଲିଭାଇବା ପାଇଁ ଲାଗିପଡିଛନ୍ତି ।