ଆଜିଠାରୁ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ଖରାଛୁଟି ଆରମ୍ଭ ହେଉଛି । ଛୁଟି ସମୟରେ ଜରୁରୀ ମାମଲାର ଶୁଣାଣୀ ନିମନ୍ତେ ହାଇକୋର୍ଟଙ୍କ ଅବସରକାଳୀନ ଖଣ୍ଡପୀଠ କାର୍ଯ୍ୟ କରିବେ ବୋଲି ହାଇକୋର୍ଟ ରେଜିଷ୍ଟରଙ୍କ ସୂତ୍ରରୁ ଖବର ପ୍ରକାଶ ପାଇଛି । ମିଳିଥିବା ସୂଚନା ମୁତାବକ ଖଣ୍ଡପୀଠ ଆସନ୍ତାକାଲି ସମେତ ୨୫, ୩୦ ଓ ଜୁନ୍ ୧, ୬, ୮, ୧୨ ଓ ୧୩ ତାରିଖରେ ଜରୁରୀ ମାମଲାର ଶୁଣାଣୀ କରିବେ । ଆସନ୍ତାକାଲି ଓ ୨୫ ତାରିଖରେ ଜଷ୍ଟିସ୍ କେ. ଆର ମହାପାତ୍ର ଓ ଜଷ୍ଟିସ୍ ଏମ.ଏସ ସାହୁଙ୍କ ଦୁଇ ଜଣିଆ ଖଣ୍ଡପୀଠ ସମେତ ଜଷ୍ଟିସ୍ ଭି. ନରସିଂହ ଓ ଜଷ୍ଟିସ୍ ଚିତ୍ତରଞ୍ଜନ ଦାଶଙ୍କ ଜଣକିଆ ଖଣ୍ଡପୀଠରେ ଜରୁରୀ ମାମଲାର ଶୁଣାଣୀ ହୋଇପାରିବ ।
ସୂଚନା ଅନୁଯାୟୀ ଯେଉଁ ଜରୁରୀ ମାମଲା ଗୁଡିକ ଗ୍ରୀଷ୍ମ ଅବକାଶ ଶେଷ ପର୍ଯ୍ୟନ୍ତ ଅପେକ୍ଷା କରି ନପାରିବ ସେଗୁଡ଼ିକ କାର୍ଯ୍ୟ ଦିବସର ଦିନ ୧୧ ରୁ ୧୨ ଟା ମଧ୍ୟରେ କମ୍ପୁ୍ୟଟର ଫାଇଲିଂଗ କାଉଣ୍ଟରରେ ଦାଖଲ କରାଯିବ । ସେହି ମାମଲା ଗୁଡ଼ିକ ଅବସରକାଳୀନ ଖଣ୍ଡପୀଠଙ୍କ ନେତୃତ୍ୱରେ ଶୁଣାଣୀ ପାଇଁ ତାଲିକାଭୁକ୍ତ କରାଯାଇପାରିବ ।