ନ୍ୟାୟର ଦେବତା ଶନିଦେବଙ୍କୁ କର୍ମଫଳଦାତା କୁହାଯାଏ । ଶନିଦେବ ପ୍ରତ୍ୟେକଟି ମଣିଷର ଭଲ କର୍ମ ଅନୁଯାୟୀ ଶୁଭଫଳ ଏବଂ ଖରାପ କର୍ମ ଅନୁଯାୟୀ ଅଶୁଭ ଫଳ ପ୍ରଦାନ କରିଥାନ୍ତି । ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ପ୍ରତିବର୍ଷ ଜ୍ୟେଷ୍ଠ ମାସର ଅମବାସ୍ୟା ପରେ ଶନି ଜୟନ୍ତୀ ପାଳନ କରାଯାଏ । ଚଳିତ ବର୍ଷ ଏହି ଶନି ଜୟନ୍ତୀ ଆସନ୍ତାକାଲି ପାଳନ କରାଯିବ ।
ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ନବଗ୍ରହ ମଧ୍ୟରୁ ଶନିଦେବ ଜଣେ । କୁହାଯାଇଥାଏ ଯେଉଁ ବ୍ୟକ୍ତିଙ୍କ ଉପରେ ଶନିଦେବଙ୍କ କୃପା ରହିଥାଏ ସେହି ବ୍ୟକ୍ତିଙ୍କ ଜୀବନରେ ସୁଖ-ସମୃଦ୍ଧି ସହ ଧନ-ସମ୍ପତ୍ତି ବୃଦ୍ଧି ପାଇଥାଏ । କେବଳ ଏତିକି ନୁହେଁ ଶନିଦେବଙ୍କ କୃପାରେ ବ୍ୟକ୍ତିଙ୍କ ଜୀବନରୁ ସମସ୍ତ କଷ୍ଟ ମଧ୍ୟ ଦୂର ହୋଇଯାଏ । କିନ୍ତୁ ଖରାପ କର୍ମ କରୁଥିବା ବ୍ୟକ୍ତି କେବେ ବି ଶନିଦେବଙ୍କ ପ୍ରକୋପରୁ ରକ୍ଷା ପାଇପାରିବେ ନାହିଁ । ଏନେଇ ଶନିଦେବଙ୍କୁ ପ୍ରସନ୍ନ କରିବା ପାଇଁ ବିଧି-ବିଧାନର ସହ ପୂଜା କରାଯାଇଥାଏ । ତେବେ ଆସନ୍ତୁ ଜାଣିବା କିପରି ପୂଜା କରିବା ଦ୍ୱାରା ଶନିଦେବଙ୍କ କୃପା ଲାଭ କରିପାରିବେ ।
ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଶନିଦେବଙ୍କ ପୂଜା ପାଇଁ ଉଚିତ୍ ଦିନ ହେଉଛି ଶନିବାର । କୁହାଯାଏ ଶନିବାର ଦିନଟିକୁ ହିଁ ଶନିଦେବଙ୍କୁ ସମର୍ପିତ କରାଯାଇଛି । ଯେଉଁ ଲୋକମାନେ ଶ୍ରଦ୍ଧା ଏବଂ ଭକ୍ତିର ସହ ପୂଜା କରିଥାନ୍ତି ସେହି ବ୍ୟକ୍ତିଙ୍କ ଉପରେ ଶନିଦେବଙ୍କ କୃପା ଲାଗି ରହିଥାଏ । ଉଲ୍ଲେଖ ଅନୁଯାୟୀ ଶନିଦେବଙ୍କ ପୂଜା ସୂର୍ଯ୍ୟଉଦୟ ପୂର୍ବରୁ ଏବଂ ସୂର୍ଯ୍ୟାସ୍ତ ପରେ କରିବା ଅତ୍ୟନ୍ତ ଶୁଭ । ଏହି ସମୟରେ ପୂଜା କରିବା ଦ୍ୱାରା ଭଗବାନ ପ୍ରସନ୍ନ ହୋଇଥାନ୍ତି ।
ଶନିଦେବଙ୍କ ପୂଜା ସମୟରେ କରନ୍ତୁ ନାହିଁ ଏହିସବୁ ଭୁଲ୍
ଜ୍ୟୋତିଷଶାସ୍ତ୍ର ଅନୁଯାୟୀ ଶନିଦେବଙ୍କ ପୂଜା କରିବା ସମୟରେ କେବେ ବି ଭଗବାନଙ୍କ ଆଖିରେ ଆଖି ମିଶାନ୍ତୁ ନାହିଁ । ଧ୍ୟାନ ରଖନ୍ତୁ ଯେବେ ବି ଆପଣ ଶନିଦେବଙ୍କ ପୂଜା କରୁଛନ୍ତି ସେହି ସମୟରେ ଆଖି ବନ୍ଦ ରଖନ୍ତୁ କିମ୍ବା ଶନିଦେବଙ୍କ ଚରଣକୁ ଦେଖି ପୂଜା କରନ୍ତୁ । କୁହାଯାଏ ଶନିଦେବଙ୍କ ଆଖିରେ ଆଖି ମିଶାଇ ପୂଜା କରିବା ଦ୍ୱାରା ନକାରାତ୍ମକ ପ୍ରଭାବ ପଡ଼ିଥାଏ ।
ପୂଜା କରିବା ସମୟରେ ଯେପରି ମୁହଁ ପଶ୍ଚିମ ଦିଗକୁ ରହିବ ସେଥିପ୍ରତି ଧ୍ୟାନ ରଖନ୍ତୁ । ସେହିଭଳି ପୂଜା କରିବା ସମୟରେ କେବେ ବି ନାଲି ରଙ୍ଗର ବସ୍ତ୍ର ପରିଧାନ କରି ପୂଜା କରନ୍ତୁ ନାହିଁ । ଏହି ସମୟରେ ହଳଦିଆ କିମ୍ବା ନୀଳ ରଙ୍ଗର ବସ୍ତ୍ର ପିନ୍ଧି ପୂଜା କରନ୍ତୁ । ଏଥିସହ ଧ୍ୟାନ ରଖିବେ କେବେ ବି ଶନିଦେବଙ୍କ ପୂଜା କରିବା ପରେ ପଛକୁ ବୁଲି ଆସନ୍ତୁ ନାହିଁ । କାରଣ ଶନିଦେବଙ୍କ ମନ୍ଦିରରେ ପଛକୁ ବୁଲି ଆସିବା ଦ୍ୱାରା ଭଗବାନ କ୍ରୋଧିତ ହୋଇଥାନ୍ତି । ଏନେଇ ଏଥିପ୍ରତି ବିଶେଷ ଧ୍ୟାନ ରଖିବେ ।