କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ ବିଜେପି ରେଞ୍ଜର ଅଡ଼ାଳ ଓ କଣ୍ଡକଳା ସଂରକ୍ଷିତ ଜଙ୍ଗଲରେ କେହି ଦୁର୍ବୃତ୍ତ ଗତକାଲି ରାତିରେ ନିଆଁ ଲଗାଇ ଦେଇଥିବାରୁ ବହୁ ମୂଲ୍ୟବାନ ଶାଳ, କେନ୍ଦୁ, ଅସନ, ଔଷଧୀୟ ଵୃକ୍ଷ ଜଳି ପୋଡ଼ି ନଷ୍ଟ ହୋଇଯାଇଛି। ଫଳରେ ବନ୍ୟଜନ୍ତୁ ଜନବସତିମୁହାଁ ହୋଇ ବିପଦରେ ରହୁଛନ୍ତି। ଜଙ୍ଗଲରେ ନିଆଁ ଏବେ ବି ଜଳୁ ଥିବାରୁ ଗ୍ରାମବାସୀ ଭୟଭୀତ ହୋଇ ରହୁଛନ୍ତି। ବିଶେଷ କରି ମହୁଲ ଫୁଲ ଗୋଟାଇବା ପାଇଁ ସ୍ଥାନୀୟ ଲୋକେ ଜଙ୍ଗଲରେ ନିଆଁ ଲଗାଇ ଦେଉଥିବାରୁ ମୂଲ୍ୟଵାନ ବୃକ୍ଷ ସହିତ କେନ୍ଦୁବୁଦା ସବୁ ଜଳିଯାଉଛି। ଫଳରେ କେନ୍ଦୁପତ୍ର ଗୋଟାଇ ଦୁଇ ପଇସା ରୋଜଗାର କରୁଥିବା ଲୋକେ ଅସୁବିଧାର ସମ୍ମୁଖୀନ ହେବେ। ବନବିଭାଗ ନିଆଁ ଲିଭାଇବାକୁ ଯେତେ ଚେଷ୍ଟା କଲେ ସୁଦ୍ଧା ବିଫଳ ହେଉଛି। ଏବିଷୟରେ ବିଜେପି ରେଞ୍ଜର ରେଞ୍ଜର ମାନସ କୁମାର ମୁର୍ମୁଙ୍କୁ ପଚାରିବାରୁ ବନବିଭାଗ ଟିମ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଉଛନ୍ତି। ଲୋକେ ନିଆଁ ଲଗାଇ ଦେଉଥିବାରୁ ବହୁ ମୂଲ୍ୟବାନ ବୃକ୍ଷ ନଷ୍ଟ ହେଇଯାଉଛି। ଲୋକମାନଙ୍କୁ ଜଙ୍ଗଲରେ ନିଆଁ ନ ଲଗାଇବା ପାଇଁ ସଚେତନ କରାଯାଉଥିବାର କହିଥିଲେ।