ମଙ୍ଗଳବାର ହେଉଛି ହନୁମାନଙ୍କ ବାର । ଏହି ଦିନ ଭଗବାନ ହନୁମାନଙ୍କ ପୂଜା କରାଯାଇଥାଏ । ସାହସ, ବଳ ଏବଂ ପ୍ରତିଷ୍ଠା ବୃଦ୍ଧି ପାଇଁ ଏହି ଦିନ ଉପବାସ କରାଯାଇ ଭଗବାନ ବଜରଙ୍ଗବଲୀଙ୍କ ପୂଜା କରାଯାଇଥାଏ । ସେହିଭଳି ଭୂତ-ପ୍ରେତକୁ ଡରୁଥିବା ଲୋକମାନଙ୍କ ପାଇଁ ମଙ୍ଗଳବାର ଦିନ ଉପବାସ କରିବା ଲାଭକାରୀ ହୋଇଥାଏ । ତେବେ ଜାଣି ରଖନ୍ତୁ ମଙ୍ଗଳବାର ଦିନ କିପରି ପୂଜା କରିବା ଉଚିତ ଏବଂ କ’ଣ ରହିଛି ଏହାର ମହତ୍ତ୍ୱ. . .
ମଙ୍ଗଳାର ଦିନ ବଜରଙ୍ଗବଲୀଙ୍କ ପୂଜାରେ ଦୀପ, ଧୂପ ଫଳ, କୁଙ୍କୁମ, ନାଲି ରଙ୍ଗର କପଡା ଅର୍ପଣ କରନ୍ତୁ । ଏହି ଉପବାସ ୨୧ ଟି ମଙ୍ଗଳବାର ପର୍ଯ୍ୟନ୍ତ କରିବା ଉଚିତ୍ । ଏହି କାରଣରୁ ଯେଉଁ ଲୋକମାନେ ଏହି ବ୍ରତ ରଖିବାକୁ ଚାହୁଁଛନ୍ତି ସେମାନେ ବିଧି ବିଧାନର ସହ ଉପବାସ କରିବା ଉଚିତ୍ । ଉପବାସ ଦିନ ସୂର୍ଯେ୍ୟାଦୟ ପୂର୍ବରୁ ସ୍ନାନ କରି ନାଲି ରଙ୍ଗର ବସ୍ତ୍ର ପରିଧାନ କରନ୍ତୁ । ଏହାପରେ ଘରର ପ୍ରତି ସ୍ଥାନରେ ଗଙ୍ଗାପାଣି ଚିଞ୍ଚନ କରି ଉତ୍ତର-ପୂର୍ବ ଦିଗରେ ହନୁମାନଙ୍କ ପ୍ରତିମା ସ୍ଥାପନ କରନ୍ତୁ ।
ଏହାପରେ ବଜରଙ୍ଗବଲୀଙ୍କ ପ୍ରତିମା ସମ୍ମୁଖରେ ଦୀପ, ଧୂପ ଲଗାଇ ଫୁଲ, କୁଙ୍କୁମ ଏବଂ ଭୋଗ ଅର୍ପଣ କରନ୍ତୁ । ଏଥିସହ ମଙ୍ଗଳବାର ଦିନ ଆପଣ ଚମେଳି ତେଲରେ ସିନ୍ଦୁର ଗୋଳାଇ ହନୁମାନଙ୍କୁ ଅର୍ପଣ କରନ୍ତୁ । ପୂଜା ଶେଷ ହେବା ପରେ ହନୁମାନ ଚାଳିଶା ପାଠ କରନ୍ତୁ ।
ମଙ୍ଗଳବାର ଦିନ ଏସବୁ କରିବା ଦ୍ୱାରା ମଙ୍ଗଳ ସମ୍ବନ୍ଧିତ ଶୁଭ ଫଳ ପ୍ରାପ୍ତି ହୋଇଥାଏ । କାରଣ ମଙ୍ଗଳବାର ଭଗବାନ ହନୁମାନଙ୍କ ଦିନ ହୋଇଥିବାରୁ ଯେଉଁ ବ୍ୟକ୍ତି ଏହି ଦିନ ଉପବାସ ରଖି ବଜରଙ୍ଗବଲୀଙ୍କ ପୂଜା କରିଥାନ୍ତି ସେହି ବ୍ୟକ୍ତିଙ୍କ ଉପରେ ଭଗବାନ ହନୁମାନଙ୍କ କୃପା ରହିବା ସହ ଜୀବନରେ ସମ୍ମାନ ଓ ସାହାସ ପ୍ରାପ୍ତି ହୋଇଥାଏ । ସେହିଭଳି ମଙ୍ଗଳବାର ଦିନ ଏହି ବ୍ରତ କରିବା ଦ୍ୱାରା ସନ୍ତାନ ପ୍ରାପ୍ତି ହୋଇଥାଏ । ଏସବୁ ବ୍ୟତିତ ମଙ୍ଗଳବାର ଦିନ ହନୁମାନଙ୍କୁ ପୂଜା କରିବା ଦ୍ୱାରା ଜୀବନରୁ ନକାରାତ୍ମକ ପ୍ରଭାବ ଦୂର ହୋଇଥାଏ।