ପୁରୀ(ଏନଏନଏସ୍): ସମୁଦ୍ରରେ ଗାଧୋଇବା ହେଲା କାଳ। ଚାଲିଗଲା ବାପ ପୁଅଙ୍କ ଜୀବନ। ଖବର ଅନୁଯାୟୀ ଆଜି ଅପରାହ୍ନରେ ପୁରୀ ସମୁଦ୍ରରେ ଏଭଳି ଅଘଟଣା ଘଟିଯାଇଛି। ବେଳାଭୂମିର ୧୩ ନମ୍ବର ସେକ୍ଟର ସମୁଦ୍ରରେ ଗାଧୋଉଥିବା ବେଳେ ବାପା ପୁଅ ବୁଡି ଯାଇ ମୃତୁ୍ୟବରଣ କରିଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି।
ଗୁରୁତର ଆହତ ହୋଇଥିବା ବ୍ୟକ୍ତି ଜଣକ ହେଉଛନ୍ତି ସୁନିତ୍ ଶେଖର ମାହାତ। ସୂଚନାଯୋଗ୍ୟ ହାୱଡାରୁ ପୁରୀ ବୁଲିବାକୁ ୫ଜଣ ପର୍ଯ୍ୟଟକ ଆସିଥିଲେ। ୫ଜଣ ପର୍ଯ୍ୟଟକ ବେଳାଭୂମିର ୧୩ ନମ୍ବର ସେଣ୍ଟରରେ ଗାଧୋଉଥିବା ବେଳେ ସେଠାରେ ଥିବା ଲାଇଫଗାର୍ଡ ତାଙ୍କୁ ଭିତରକୁ ଯିବାକୁ ମନା କରିଥିଲେ। କିନ୍ତୁ ପର୍ୟ୍ୟଟକ ଲାଇଫଗାର୍ଡଙ୍କ କଥାକୁ ଅବଜ୍ଞା କରି ଗାଧୋଇବା ପାଇଁ ଭିତରକୁ ଯାଇଥିଲେ। ଫଳରେ ଲହଡ଼ି ମାଡ଼ରେ ବାପା,ପୁଅ ଭିତରକୁ ପଳାଇଥିଲେ। ଯାହାଦ୍ୱାରା ସେମାନେ ଆଉ କୂଳକୁ ଫେରିବା ସମ୍ଭବପର ନଥିଲା। ପରେ ଲାଇଫ୍ ଗାର୍ଡ ବାପା-ପୁଅକୁ ମୃତ ଅବସ୍ଥାରେ ଉଦ୍ଧାର କରିଛନ୍ତି।